ଆସନ୍ତା ସପ୍ତାହରୁ ଆରମ୍ଭ ହେବ ‘ଗଗନଯାନ’ ମହାକାଶଚାରୀଙ୍କ ପ୍ରଶିକ୍ଷଣ । ଭାରତର ସମ୍ପୂର୍ଣ୍ଣ ନିଜସ୍ୱ ପ୍ରଥମ ମାନବ ମହାକାଶ ଅଭିଯାନ ପାଇଁ ରୁଷରେ ୧୧ମାସ ତାଲିମ ନେବେ ୪ ଭାରତୀୟ ମହାକାଶଚାରୀ

164

କନକ ବ୍ୟୁରୋ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ । ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି, ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପ୍ରଥମ ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ରୁଷରେ ହେବ ।

ସେପଟେ ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି । ୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ । ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ୪ଜଣ ମହାକାଶଚାରୀ ପୁରୁଷ, ତେବେ ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ରୁଷରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ୍ର ମଡ୍ୟୁଲ ତାଲିମ ନେବେ । ଏଥିରେ ସେମାନେ ଇସ୍ରୋ ଦ୍ୱାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ ।

ସେପଟେ ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତର ସବୁଠୁ ଭାରୀ ମହାକାଶ ଉତକ୍ଷେପଣ ଯାନ “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ । ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଥିଲେ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ ।

୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ । ତେବେ ଯେଉଁ ମହାକାଶଯାନରେ ସେ ମହାକାଶକୁ ଯାଇଥିଲେ ତାହା ଭାରତୀୟ ନଥିଲା । ତେଣୁ ପ୍ରଧାନମନ୍ତ୍ରୀଙ୍କ “ମେକ ଇନ ଇଣ୍ଡିଆ” ସ୍ୱପ୍ନକୁ ବାସ୍ତବରେ ପ୍ରତିଫଳିତ କରୁଥିବା “ଗଗନଯାନ” ହେବ ଭାରତ ଦ୍ୱାରା କଳ୍ପିତ ଏବଂ ବିକଶିତ ପ୍ରଥମ ମାନବ ମହାକାଶ ଅଭିଯାନ ।