ନିମ୍ନମାନର ଅସ୍ତ୍ରଶସ୍ତ୍ରକୁ ନେଇ ଭାରତୀୟ ସେନା ଖପ୍ପା । ସେନା ପ୍ରତିରକ୍ଷା ମନ୍ତ୍ରାଳୟ ସହ ଆଲୋଚନା ।

ନିମ୍ନମାନର ଯୁଦ୍ଧାସ୍ତ୍ର ବ୍ୟବହାର କାରଣରୁ ଅନେକ ଦୁର୍ଘଟଣା ଘଟୁଛି ।

385

କନକ ବ୍ୟୁରୋ: ଅସ୍ତ୍ରଶସ୍ତ୍ରକୁ ନେଇ ଚିନ୍ତାରେ ଭାରତୀୟ ସେନା । ନିମ୍ନମାନର ଯୁଦ୍ଧାସ୍ତ୍ର ବ୍ୟବହାର କାରଣରୁ ଅନେକ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଛି । ବଡ କଥା ହେଉଛି ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ପ୍ରସ୍ତୁତ କରିଥାଏ । ଏହି ବୋର୍ଡ ଭାରତ ସରକାରଙ୍କ ଅଧିନରେ କାମ କରୁଛି । ସେନାରେ ଥିବା ଟ୍ୟାଙ୍କ, ତୋପ ଓ ଏୟାର ଡିଫେନ୍ସ ଗନ୍ ଭଳି ଯୁଦ୍ଧ ଉପକରଣ ଯୋଗାଣ କରିଥାଏ । ତେବେ ନିମ୍ନମାନର ଯୁଦ୍ଧାସ୍ତ୍ର ବାବଦରେ ସେନା ପ୍ରତିରକ୍ଷା ମନ୍ତ୍ରାଳୟ ସହ ଆଲୋଚନା କରିଛି ।

ମାନ କମୁଥିବାରୁ ଦୁର୍ଘଟଣା ଘଟୁଛି ଏବଂ ଅନେକ ଯବାନଙ୍କ ଜୀବନ ମଧ୍ୟ ଚାଲିଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଏସବୁ ପରେ ସେନାର ନିଜସ୍ୱ ଗୋଳାବାରୁଦ ଉପରେ ଭରସା କମୁଥିବାର ଦେଖିବାକୁ ମିଳିଛି । ବର୍ଷକୁ ପାଖାପାଖି ୧୯ହଜାର କୋଟି ଟଙ୍କାର କାରବାର ହେଉଥିବା ଏହି ବୋର୍ଡର ସାରା ଦେଶରେ ପ୍ରାୟ ୪୧ଟି କାରଖାନା ରହିଛି । ଭାରତୀୟ ସେନାରେ ଥିବା ୧୨ଲକ୍ଷ ସୈନିକଙ୍କ ପାଇଁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଦେବାର ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଏହାର ମାନ ଏବେ କମିଯାଉଥିବା ସେନା ପକ୍ଷରୁ କୁହାଯାଉଛି । ୧୦୫ଏମଏମ ଇଣ୍ଡଇଆନ ଫିଲ୍ଡ ଗନ୍, ୧୦୫ଏମଏମ ଲାଇଟ ଫିଲ୍ଡ ଗନ୍, ଆଦି ଗନରେ ଅଧିକ ଦୁର୍ଘଟଣା ଘଟୁଛି । ସେହିପରି ଟି-୭୨, ଟି-୯୦ ଓ ଅର୍ଜୁନ ଟ୍ୟାଙ୍କର ନିୟମିତ ଦୁର୍ଘଟଣା ଘଟୁଥିବା ନେଇ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ କୁହାଯାଇଛି ।