ବଦଳିପାରେ ଭାରତୀୟ ସେନାର ପୋଷାକ! ଖରା ଓ ବର୍ଷାକୁ ସୁହାଇବା ଭଳି ଡ୍ରେସ ଡିଜାଇନ କରିବାକୁ ଚାଲିଛି ପ୍ରସ୍ତୁତି ।

245

ବଦଳିପାରେ ଭାରତୀୟ ସେନାର ପୋଷାକ । ସେନାର ପୋଷାକକୁ ଅଧିକ ସ୍ମାର୍ଟ ଓ ଆରାମଦାୟକ କରିବା ପାଇଁ ପୋଷାକରେ କଣ ସବୁ ପରିବର୍ତ୍ତନ କରାଯିବ ସେନେଇ ସେନା ମୁଖ୍ୟାଳୟର ସେନା ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ହୋଇଛି । ଏଥିପାଇଁ ଭିନ୍ନ ଭିନ୍ନ ଦେଶର ପୋଷକକୁ ମଧ୍ୟ ପରଖା ଯାଉଛି । ଏପରିକି ଭିନ୍ନ ଭିନ୍ନ ସ୍ଥାନର ପାଗ ଅନୁଯାୟୀ ପ୍ରତି ବିକଳ୍ପ ଉପରେ ବିଚାର କରାଯାଉଛି ।

ସେନା ମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ପ୍ୟାଣ୍ଟ ଓ ସାର୍ଟକୁ ମଧ୍ୟ ଭିନ୍ନ ଭିନ୍ନ ରଙ୍ଗର କରିବା ପାଇଁ ବିଚାରବିମର୍ଷ ଚାଲିଛି । ଯେଉଁଥିରେ ସେନାର ଯବାନ ମାନେ ଅଧିକ ସ୍ମାର୍ଟ ଦେଖାଯିବେ । ଏପରିକି ଟେରିକଟ କପଡାରେ ଏବେ ଯେଉଁ ପୋଷାକ ସେନାର ଯବାନ ପିନ୍ଧୁଛନ୍ତି ତାହା ଖରା ଓ ବର୍ଷା ଦିନେ ଆରାମଦାୟକ ଲାଗୁନାହିଁ । ଏହାପୂର୍ବରୁ ୩ ଥର ଭାରତୀୟ ସେନାର ପୋଷାକ ବଦଳାଯାଇଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତୀୟ ସେନାର ପୋଷାକରେ ପରିବର୍ତ୍ତନ କରାଯାଇଥିଲା । ପାକିସ୍ତାନର ସେନାର ପୋଷାକ ଠାରୁ ଭାରତୀୟ ସେନାର ପୋଷାକ ଭିନ୍ନ କରିବା ପାଇଁ ଏଭଳି କରାଯାଇଥିଲା ।

ଦ୍ୱିତୀୟ ଥର ୧୯୮୦ରେ ଭାରତୀୟ ସେନାର ପୋଷାକ ବଦଳାଯାଇଥିଲା । ସୂତା ପୋଷାକରୁ ପଲିଷ୍ଟର କପଡାରେ ତିଆରି ହୋଇଥିବା ପୋଷାକ ପିନ୍ଧିଥିଲେ ଭାରତୀୟ ସେନା । ସୂତା ପୋଷାକରୁ ଖୁବଶୀଘ୍ର ରଙ୍ଗ ଉଡିଯାଉଥିବା ବେଳେ ନୂଆ ପୋଷାକକୁ ଏମିତି ଡିଜାଇନ କରାଯାଇଥିଲା ଯେ ଏହାକୁ ପିନ୍ଧି ଭାରତୀୟ ଯବାନ ମାନେ ବଣ ଜଙ୍ଗଲରେ ଶତ୍ରୁପକ୍ଷକୁ ବେଶ ଆରାମରେ ଚକମା ଦେଇପାରୁଥିଲେ । ଅର୍ଦ୍ଧସୈନିକ ବଳ ଯେପରିକି ବିଏସଏଫ ଓ ସିଆରପିଏଫ ମଧ୍ୟ ଏହି ଡିଜାଇନର ପୋଷାକ ପିନ୍ଧିବା ଆରମ୍ଭ କରିବା ପରେ ଭାରତୀୟ ସେନା ୨୦୦୫ରେ ନିଜର ପୋଷାକର ରଙ୍ଗରେ କିଛିଟା ପରିବର୍ତ୍ତନ କରିଥିଲା ।

ସେନାର ପୋଷାକ ବ୍ୟତୀତ ଯବାନ ମାନଙ୍କ କାନ୍ଧରେ ଲାଗିଥିବା ର‌୍ୟାଙ୍କ ଟ୍ୟାଗରେ ମଧ୍ୟ ପରିବର୍ତ୍ତନ କରାଯିବା ନେଇ ବିଚାରବିମର୍ଷ ଚାଲିଛି । ଯବାନଙ୍କ ର‌୍ୟାଙ୍କ୍ ଟ୍ୟାଗକୁ କାନ୍ଧ ପରିବର୍ତ୍ତେ ଛାତିରେ ଲଗାଯିବାକୁ ପରାମର୍ଶ ମିଳିଛି । ଏପରିକି ସେନାର ଯବାନ ମାନେ ପିନ୍ଧୁଥିବା ବେଲ୍ଟକୁ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ମିଳିଛି । ସେନାର ଯବାନ ମାନେ ଏବେ ଚମଡାର ଚଉଡା ବେଲ୍ଟ ବ୍ୟବହାର କରୁଛନ୍ତି । ଏପରିକି ଯୁଦ୍ଧ ସମୟରେ ମଧ୍ୟ ଭିନ୍ନ ବେଲ୍ଡ ପିନ୍ଧିଥାନ୍ତି ଭାରତୀୟ ସେନା । ଯେଉଁଥିରେ ପାଣି ବୋତଲ ରଖିବାକୁ ହୁକ ରହିଥାଏ । କିନ୍ତୁ ସେନାର ବେଲ୍ଟକୁ ସ୍ମାର୍ଟ ଓ ଆରାମଦାୟକ କରିବା ପାଇଁ ଭିନ୍ନ ଧରଣର ବେଲ୍ଡ ଡିଜାଇନ କରିବା ଉପରେ ବିଚାରବିମର୍ଷ ଚାଲିଛି । ଯେଉଁ ବେଲ୍ଡକୁ ପ୍ୟାଣ୍ଟ ଭିତରେ ପିନ୍ଧିହେବ ।