କନକ ବ୍ୟୁରୋ : ଚୀନକୁ ମୁହଁତୋଡ ଜବାବ ଦେଲା ଭାରତୀୟ ସେନା । ଡ୍ରାଗନବାହିନୀର ପତାକା ଭିଡ଼ିଓ ଭାଇରାଲ ହେବାର ଦିନ କେଇଟା ମଧ୍ୟରେ ଏବେ ଭାରତୀୟ ସେନାର କିଛି ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ନୂଆବର୍ଷରେ ଭାରତୀୟ ସେନା ଗଲୱାନ ଘାଟିରେ ତ୍ରିରଙ୍ଗା ଉଡାଉଥିବାର ଦେଖିବାକୁ ମିଳିଛି ।

Advertisment

ଚୀନ୍ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଚୀନ୍ ସେନା ନିଜର ପତାକା ଧରିଥିବାର ଦେଖିବାକୁ ମିଳିଥିଲା । ସେତେବେଳେ ଚୀନର ସୋସିଆଲ ମିଡ଼ିଆ ୟୁଜର୍ସ ଦାବି କରିଥିଲେ ଯେ, ଗଲୱାନ ଘାଟିର ଯେଉଁ ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ ସେଠାରେ ଡ୍ରାଗନବାହିନୀ ନିଜର ପତାକା ଉଡାଇଥିଲେ । କିନ୍ତୁ ବାସ୍ତବରେ ଉକ୍ତ ସ୍ଥାନ ଠାରୁ ଫଟୋରେ ଥିବା ପଏଣ୍ଟ ଯଥେଷ୍ଟ ଦୂରରେ ରହିଥିଲା ।

ଭାଇରାଲ ହୋଇଥିବା ଫଟୋରେ ଭାରତୀୟ ସେନା ସିଗ ସର ରାଇଫଲ ଧରିଥିବା ବେଳେ ହାତରେ ତ୍ରିରଙ୍ଗା ଫର ଫର ହୋଇ ଉଡୁଥିଲା । ମିଳିଥିବା ସୂଚନା ମୁତାବକ, ନୂଆବର୍ଷରେ ଭାରତୀୟ ଯବାନ ମାନେ ଏହି ତ୍ରିରଙ୍ଗା ଉଡାଇଥିଲେ । ଗଲୱାନ ଘାଟିରେ ଭାରତୀୟ ବୀର ଯବାନ ମାନେ ଏହି ତ୍ରିରଙ୍ଗା ଉଡାଇଥିବାର ଦେଖିବାକୁ ମିଳିଛି । ତ୍ରିରଙ୍ଗା ପତାକା ସହ ଏଠାରେ ଡୋଗ୍ରା ରେଜିମେଣ୍ଟର ପତାକା ମଧ୍ୟ ଉଡିଥିଲା ।

ଗତ ଜୁନ୍ ୨୦୨୦ରେ ଗଲୱାନ ଘାଟିର ପାଟ୍ରୋଲିଂ ପଏଣ୍ଟ ୧୪ରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଆଉ ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଉଭୟ ଦେଶର ସୀମାରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଥିଲା । ପାଟ୍ରୋଲିଂ ପଏଣ୍ଟ ୧୪ରେ  ଚୀନର ଦାଦାଗିରିକୁ ବାରମ୍ବାର ବିରୋଧ କରି ଆସୁଛି ଭାରତ । ତେବେ ଉଭୟ ଦେଶର ସେନାର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ଦେଶର ସେନା ଏଠାରୁ ପଛକୁ ହଟିଥିଲେ । ପରେ ଏହି ବିବାଦୀୟ ଅଞ୍ଚଳକୁ ବଫର ଜୋନ ଭାବେ ଘୋଷଣା କରାଯାଇଥିଲା । ଏପରିକି ପାଟ୍ରୋଲିଂ ପଏଣ୍ଟ ୧୪କୁ ନୋ ପାଟ୍ରୋଲିଂ ଜୋନ ଭାବେ ସ୍ଥିର କରାଗଲା ।ଯାହାପରେ ଏହି ପଏଣ୍ଟରୁ ଉଭୟ ଦେଶର ସେନା ଦେଢ କିଲୋମିଟର ଲେଖାଏଁ ପଛକୁ ହଟିଥିଲେ । ଏହାସତ୍ତେ୍ୱ ମଧ୍ୟ ଉଭୟ ଦେଶର ସେନା ପରସ୍ପର ଉପରେ କଡା ନଜର ରଖିଛନ୍ତି । ତେଣୁ ଚୀନ୍ ସେନା ଯେଉଁ ଭିଡ଼ିଓ ଆସିଥିଲା ତାହା ବଫର ଜୋନର ୧.୫ରୁ ୨ କିଲୋମିଟର ଦୂରରେ ରହିଥିଲା । ସେହିଭଳି ଭାରତୀୟ ସେନା ମଧ୍ୟ ଯେଉଁଠି ତ୍ରିରଙ୍ଗା ଉଡାଇଛନ୍ତି ତାହା ମଧ୍ୟ ନୋ ପଟ୍ରୋଲିଂ ଜୋନ ଠାରୁ ଯଥେଷ୍ଟ ଦୂରରେ ଥିଲା ।