କନକ ବ୍ୟୁରୋ : ଭାରତୀୟ ସାହସୀ ଯବାନ ନଥିଲେ ହୁଏତ ମୃତ୍ୟୁ ପଞ୍ଝାରୁ ମୁକୁଳିବା ସମ୍ଭବ ହୋଇନଥାନ୍ତା । ଅସମ୍ଭବକୁ ସମ୍ଭବ କରି ଦେଖାଉଥିବା, ଦେଶବାସୀଙ୍କ ସୁରକ୍ଷା ପାଇଁ ମୃତ୍ୟୁ ସହ ଲଢୁଥିବା ବୀର ସାହସୀ ଯବାନ ଆଜି ପୁଣିଥରେ ମୃତ୍ୟୁର ପଞ୍ଝାରେ ଫଶି ରହିଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଦେଶବାସୀଙ୍କ ମନ ଜିଣିଛନ୍ତି । ଆଉ ଏଭଳି ଘଟଣା କେରଳରୁ ସାମ୍ନାକୁ ଆସିଛି । କେରଳର ମାଲମପୁଝା ପାହାଡରେ ଗତ ୩ ଦିନ ହେବ ଫଶି ରହିଥିବା ଯୁବକ ଆର. ବାବୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୀର ଯବାନ । ତେବେ ପୂରା ଘଟଣା କଣ ଥିଲା ଓ କେମିତି ଅପରେସନ ହୋଇଥିଲା ତାହା ଜାଣିଲେ ଆପଣ ବି ଚକିତ ହୋଇଯିବେ ।
ଗତ ସୋମବାର କେରଳର ଆର, ବାବୁ ନିଜ ସାଥୀଙ୍କ ସହ ମାଲମପୁଝା ପାହାଡକୁ ଟ୍ରେକିଙ୍ଗ କରିବାକୁ ଯାଇଥିଲେ । ତେବେ ପାହାଡର ଶିଖରରେ ପହଞ୍ଚିବା ପୂର୍ବରୁ ଦୁଇ ସାଙ୍ଗ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବାବୁ ପାହାଡକୁ ଚଢିବା ସହ ଶିଖରରେ ପହଞ୍ଚିଥିଲେ । ତେବେ ଏଠାରେ ପହଞ୍ଚିବା ପରେ ଖସିପଡିଥିଲେ ବାବୁ । କିନ୍ତୁ ସୌଭାଗ୍ୟବସତଃ ଦୁଇ ପାହାଡର ଚଟାଣ ମଧ୍ୟରେ ଫଶି ରହିଥିଲେ ବାବୁ । ଏନେଇ ନିଜ ସାଥୀଙ୍କୁ ଅବଗତ କରିଥିଲେ ବାବୁ । ପରେ ତାଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ସ୍ଥାନୀୟ ବିଧାୟକ ଏ ବାବଦରେ କେରଳର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କାରଣ ପାହାଡ ଉପରକୁ ଚଢିବା ସମ୍ଭବପର ହୋଇନଥିଲା । ପରେ ମଙ୍ଗଳବାର ଦିନ ହେଲିକପ୍ଟର ଯୋଗେ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିନଥିଲା । ଆଉ ଲଗାତାର ଦୁଇ ଦିନ ଧରି ଅଖିଆ ଅପିଆ ସେମିଥି ସେହି ପାହାଡ ଖୋଲ ଭିତରେ ଫଶି ରହିଥିଲେ ବାବୁ ।
ଗୋଟିଏ ପଟେ ବାବୁଙ୍କୁ ଉଦ୍ଧାର କରିବାର ପ୍ରୟାସ ଲଗାତାର ବିଫଳ ହେଉଥିବା ବେଳେ ଆଶା ମଧ୍ୟ ମରି ମରି ଆସୁଥିଲା । କିନ୍ତୁ ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ସଙ୍କଟ ବେଳର ସାଥୀ କୁହାଯାଉଥିବା ଭାରତୀୟ ସେନାର ସହଯୋଗ ଲୋଡିଥିଲେ । ଆଉ ସଙ୍କଟମୋଚକ ସାଜି ଉଭା ହେଉଥିବା ଭାରତୀୟ ଯବାନ ପୁଣିଥରେ ବାବୁଙ୍କୁ ଉଦ୍ଧାର ପାଇଁ ଆରମ୍ଭ କରିଥିଲେ ଅପରେସନ । ବାଙ୍ଗାଲୋର ଓ ୱେଲିଂଟନରୁ ବାହାରିଥିଲେ ବାୟୁସେନା ଓ ସ୍ଥଳସେନାର ବଛା ବଛା ବୀର ଯବାନ । ରାତାରାତି ଅପରେସନ ପାଇଁ ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଣ୍ଟ । ଆଉ ରାତାରାତି ହିଁ ଆକାଶରୁ ଆଶାର କିରଣ ସାଜି ଓହ୍ଲାଇଥିଲେ ଭାରତୀୟ ବୀର ଯବାନ ।
#WATCH | Babu, the youth trapped in a steep gorge in Malampuzha mountains in Palakkad Kerala extends his thanks to the Indian Army after being rescued. Teams of the Indian Army had undertaken the rescue operation.
(Video source: Indian Army) pic.twitter.com/VzFq6zSaY6
— ANI (@ANI) February 9, 2022
ସକାଳର ପ୍ରଥମ ସୂର୍ଯ୍ୟ କିରଣ ପଡିବା ଆଗରୁ ହିଁ ଆରମ୍ଭ ହେଲା ବାବୁଙ୍କୁ ଉଦ୍ଧାର ପାଇଁ ଅପରେସନ । ଆକାଶରେ ହେଲିକପ୍ଟର ଚକ୍କର ମାରିବା ସହ ବାବୁଙ୍କ ପ୍ରତିଟି ଗତିବିଧିକୁ କଏଦ କଲା । ଆଉ ଏହାପରେ ଅତ୍ୟାଧୁନିକ ସରଞ୍ଜାମ ଓ ଦଉଡି ସାହାର୍ଯ୍ୟରେ ପାହାଡ ଉପରକୁ ଚଢି ବାବୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଭାରତୀୟ ଯବାନ । ଆଉ ଏହାସହ ମୃତ୍ୟୁର ପଞ୍ଝାରୁ ବାବୁଙ୍କ ଜୀବନ ଛଡାଇ ଆଣିବାରେ ସଫଳ ହୋଇଥିଲେ ବୀର ଯବାନ । ଆଉ ତାହା ପରର ଦୃଶ୍ୟ କିଛି ଏଭଳି ଥିଲା । ନୂଆ ଜୀବନ ଦେଇଥିବା ବୀର ଯବାନଙ୍କୁ କିଭଳି ଧନ୍ୟବାଦ ଜଣାଇବେ ତାହା ଜାଣିପାରୁନଥିଲେ ବାବୁ । ଆଉ ଶେଷରେ ଭାରତୀୟ ସେନା ଜିନ୍ଦାବାଦ ନାରାରେ ପୂରା ଅଞ୍ଚଳ ପ୍ରକମ୍ପିତ କରିଥିଲେ ବାବୁ ।
ଭାରତୀୟ ଯବାନଙ୍କ ପାଇଁ ଏଭଳି ଅପରେସନ କିଛି ନୂଆ ନୁହେଁ । ଦେଶବାସୀଙ୍କ ସୁରକ୍ଷା ପାଇଁ ପ୍ରତି ସମୟରେ ସୁରକ୍ଷାକବଚ ସାଜି ଛିଡା ହୁଅନ୍ତି ବୀର ଯବାନ । ଆଉ ଏବେ କେରଳର ଯୁବକଙ୍କ ଜୀବନ ବଞ୍ଚାଇଥିବାରୁ କୋଟି କୋଟି ଭାରତୀୟ ବୀର ଯବାନଙ୍କ ଜୟ ଜୟକାର କରୁଛନ୍ତି ।