ଚୀନର ଯୁଦ୍ଧ ଉନ୍ମାଦନା ଉପରେ ରହିବ କଡା ନଜର, ଲଦାଖରେ ନିୟୋଜିତ ହେଲା ୪ ଇସ୍ରାଇଲ ହେରୋନ ଡ୍ରୋନ

169

କନକ ବ୍ୟୁରୋ : ଏବେ ଚୀନସେନା ପକ୍ଷରୁ ଭାରତ ବିରୋଧରେ କୌଣସି ଷଡଯନ୍ତ୍ର କଲେ ଭାରତୀୟ ସେନାକୁ ତୁରନ୍ତ ସୂଚନା ମିଳିବ । ଏବେ ଭାରତୀୟ ସେନା ଲଦାଖ ସୀମାରେ ଏଭଳି ଡ୍ରୋନ ନିୟୋଜିତ କରିଛି କି ଯାହାର କ୍ୟାମେରା, ସେନ୍ସର୍ସ ଓ ରାଡାର କୌଣସି ବି ଦୃଶ୍ୟକୁ କଏଦ କରିବାରେ ସଫଳ ହେବ । ଏହି ଡ୍ରୋନର ନାମ ହେରୋନ ଡ୍ରୋନ୍ସ । ଭାରତୀୟ ସେନା ୪ ଟି ହେରୋନ ଡ୍ରୋନ୍ସକୁ ଲଦାଖ ସୀମାରେ ନିୟୋଜିତ କରିଛି । ଏବେ ଏହି ଡ୍ରୋନ ଆକାଶରେ ରହି ଚୀନ ସେନାର ଷଡଯନ୍ତ୍ର ଉପରେ ତୀକ୍ଷ୍ଣ ନଜର ରଖିବ ।

୨୦୨୦ ଏପ୍ରିଲ ମାସରେ ଚୀନ ସହିତ ସୀମାରେ ହୋଇଥିବା ସଂଘର୍ଷ ପରେ ଭାରତୀୟ ସେନା ଲଦାଖ ସୀମାରେ ଅସ୍ତ୍ରଶସ୍ତ୍ର, ବିମାନ ଓ ମିସାଇଲ ସଂଖ୍ୟା ବୃଦ୍ଧି କରିଛି । ଚୀନସେନା ଉପରେ ନଜର ରଖିବାକୁ ସାଟେଲାଇଟର ସହାୟତା ନିଆଯାଉଛି । ମାତ୍ର ଏବେ ହେରୋନ ଡ୍ରୋନ ବ୍ୟବହାର ଫଳରେ ଭାରତୀୟ ସେନାର ନଜରରୁ ଚୀନର କୌଣସି ଷଡଯନ୍ତ୍ର ଲୁଚିପାରିବ ନାହିଁ ବୋଲି କୁହାଯାଇଛି ।

ଇସ୍ରାଇଲରୁ ମିଳିଥିବା ଏହି ୪ ଟି ଡ୍ରୋନ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଭାରତୀୟ ସେନା ପାଖରେ ଥିବା ସମସ୍ତ ଡ୍ରୋନ ତୁଳନାରେ ଏହାର ଶକ୍ତି , କ୍ଷମତା ଓ ଉଡିବାର ସମୟ ସବୁକିଛି ସର୍ବାଧିକ । ସବୁଠାରୁ ବଡକଥା ଏହି ଡ୍ରୋନକୁ କେହିବି କୌଣସି ଉପାୟରେ ଜାମ କରିପାରିବ ନାହିଁ । କାରଣ ଏହି ଡ୍ରୋନରେ ଆଣ୍ଟି ଜାମିଂ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି ।

ଏହି ଡ୍ରୋନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇମରଜିନ୍ସ ଫାଇନାନସିଆଲ ପାୱାର ବ୍ୟବହାର କରାଯାଇ ମଗା ଯାଇଥିଲା । କାରଣ ଭାବେ କୁହାଯାଇଥିଲା କି ଦେଶର ସୁରକ୍ଷାକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ । ଏହି ଡ୍ରୋନକୁ ଇସ୍ରାଇଲର ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦ୍ୱାରା ପ୍ରସ୍ତୁତ କରାଯାଇଛି ।