ଶୀତ ଦିନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ଚୀନ ସୀମାରେ ପହଂଚୁଛି ଶୀତଦିନିଆ ଉପକରଣ, ପ୍ରତିକୂଳ ପରିସ୍ଥିତିରେ ମୁକାବିଲା ପାଇଁ ଯୁଦ୍ଧ ସରଞ୍ଜାମ ବୋହୁଛି ପରିବହନ ବିମାନ

ସେପଟେ ଭାରତୀୟ ସେନାର ନର୍ଦନ କମାଣ୍ଡ କହିଲା, ପରିସ୍ଥିତି ଉପୁଜିଲେ ପୂର୍ଣ୍ଣାଙ୍ଗ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ସେନା

277

କନକ ବ୍ୟୁରୋ: ଶୀତଦିନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା । ଚୀନ ସୀମାରେ ପଂହଚୁଛି ଶୀତଦିନିଆ ଉପକରଣ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧ ସଂରଜାମ ପହଂଚାଯାଉଛି ସୀମାରେ । ଭାରତୀୟ ସେନାର ନର୍ଦନ କମାଣ୍ଡ ପକ୍ଷରୁ କୁହାଯାଇଛି ପରିସ୍ଥିତି ଉପୁଜିଲେ ପୂର୍ଣ୍ଣାଙ୍ଗ ବଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ସେନା । ଭାରତ-ଚୀନ ସୀମାରେ ଉତେଜନାମୁଳକ ସ୍ଥିତି ଲାଗିରହିଥିବା ବେଳେ ଭାରତ କୌଣସି ବି ପରିସ୍ଥିତିର ମୁକିବିଲା ପାଇଁ ତୟାର ରହୁଛି । ବର୍ତମାନ ଚାଲିଥିବା ଭାରତୀୟ ସେନାର ପ୍ରସ୍ତୁତିରୁ ଅନୁମାନ କରାଯାଉଛି, ଯଦି ସେମିତି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ତତକ୍ଷଣାତ ଭାରତ ଏହାର ଜବାବ ଦେବାକୁ ତୟାର ଅଛି ।

ସୀମାରେ ପ୍ରସ୍ତୁତ ଭାରତୀୟ ସେନା । ଚାଲାକ ଚୀନ୍ର ସବୁ ଚାଲକୁ ମାତ୍ ଦେବା ପାଇଁ ସୀମାରେ ତୟାର ସୈନିକ । ଆଉ ଚଳିବ ନାହିଁ ଚୀନର ବିସ୍ତାରବାଦ ନୀତି । ଚୀନ୍ ସହ ସୀମା ବିବାଦ ମଧ୍ୟରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ପୂର୍ବ ଲଦାଖର ବିବାଦୀୟ ଅଂଚଳରେ ଏବେବି ବିବାଦର ସମାଧାନ ହୋଇନାହିଁ । ଉଚ୍ଚ ପାହାଡରେ ଲଢେଇ କରିବାରେ ସିଦ୍ଧ ହସ୍ତ ଭାରତୀୟ ସୈନିକ । ସେପଟେ ୧୯୭୯ରେ ଭିଏତନାମ ଯୁଦ୍ଧ ପରେ ଆଉ କୌଣସି ଯୁଦ୍ଧରେ ସାମିଲ ହୋଇନାହିଁ ପିପୁଲ୍ସ ଲିବରେସନ ଆର୍ମି । ଏହି ଦୃଷ୍ଟି କୋଣରୁ ଭାରତୀୟ ସେନା ନିକଟରେ ଅଭିଜ୍ଞତା ମଧ୍ୟ ଢେର ଅଧିକ ରହିଛି ।

ସୀମା ବିବାଦ ମଧ୍ୟରେ ସମୁଦ୍ର ପତନ ଠାରୁ ହଜାର ହଜାର କିଲୋମିଟର ଉଚ୍ଚ ହିମାଳୟରେ ବାୟୁ ସେନାର ଶକ୍ତି ପ୍ରଦର୍ଶନ । ଆକାଶରେ ଉଡୁଛି ଚିନୁକ, ସୁଖୋଇ ଓ ସି ସେଭେନଟିନ । ଲେହ ସେନା କ୍ୟାମ୍ପରେ ଭାରତୀୟ ବାୟୁସେନା ଓ ସ୍ଥଳସେନାର ଶକ୍ତିର ଝଲକ ଦେଖିବାକୁ ମିଳିଛି । ସୁଖୋଇ ବିମାନ ଉଡିବା ସହ ବିଧ୍ୱସଂକାରୀ ଟ୍ୟାଙ୍କ ପ୍ରଦର୍ଶନ କରାଯାଇଛି । କ୍ଷଣକରେ ଲଢେଇର ଫଳାଫଳକୁ ବଦଳାଇବାର କ୍ଷମତା ରଖୁଥିବା ବୋଫର୍ସ ଗନ ଓ ଯୁଦ୍ଧାସ୍ତ୍ରର ଝଲକ ଦେଖିବାକୁ ମିଳିଛି ।

ସୀମାରେ ମୁତୟନ ଥିବା ଯବାନଙ୍କୁ ଯୁଦ୍ଧାସ୍ତ୍ରଠାରୁ ଆରମ୍ଭ କରି ରାସନ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ସାଇତି ରଖାଯାଏ ଲଦାଖର ଲେହ ଅସ୍ତ୍ରଶସ୍ତ୍ର ଡିପୋରେ । ଏହାସହ କେ ନାଇନ ଥଣ୍ଡର ଭଳି ଅତ୍ୟାଧୁନିକ ଟ୍ୟାଙ୍କ ଓ ଟି ନାଇନଟି ଭୀଷ୍ମ, ଟି ସେଭେନଟି ଟୁ ଅଜୟ, ଏକେ ଫର୍ଟି ସେଭେନ, ଏମ ସିକ୍ସଟିନ ରାଇଫଲ ଓ ପ୍ରଚୁର ପରିମାଣରେ ଗୋଳାବାରୁଦକୁ ଏଠାରେ ସାଇତି ରଖାଯାଏ । ଲଦାଖ ସମେତ କାଶ୍ମୀରର ବିଭିନ୍ ଅଂଚଳକୁ ଏଠାରୁ ଯବାନଙ୍କୁ ଆବଶ୍ୟକ ମୁତାବକ ସାମଗ୍ରୀ ଯୋଗଇ ଦିଆଯାଏ । ଏହି ଅଂଚଳରେ ବର୍ଷରେ ୬ମାସ ତାପମାତ୍ରା ମାଇନସ ଡିଗ୍ରୀକୁ ଚାଲିଯାଉଥିବା ବେଳେ ଏହି ସମୟରେ ଯବାନମାନେ କିପରି କାର୍ଯ୍ୟ କରିଥାନ୍ତି ତାର ମଧ୍ୟ ପ୍ରଦର୍ଶନ କରାଯାଇଛି । ବର୍ଷଯାକ ସ୍ଥଳସେନାକୁ ସବୁ ସାମଗ୍ରୀ ଯୋଗାଇବାରେ ଲାଗିଥାଏ ବାୟୁସେନା ।

ଗୋଟିଏ ପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ଭାରତ । କିନ୍ତୁ ସୀମାରେ ଯେକୌଣସି ପରିସ୍ଥିତିର ମୁହଁତୋଡ ଜବାବ ଦେବା ପାଇଁ ପ୍ରସ୍ତୁତ ଭାରତୀୟ ସେନା । ଅପରପକ୍ଷରେ ଲେହରେ ଭାରତୀୟ ସେନା କରୁଛି ତାର ପ୍ରସ୍ତୁତି । ଭାରତ ଚୀନ୍ ବିବାଦ ମଧ୍ୟରେ ଶୀତ ଦିନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି ବ୍ରୋ ଅର୍ଥାତ ବୋର୍ଡର ରୋଡ ଅର୍ଗାନାଇଜେସନ । ଶୀତ ଋତୁରେ ପ୍ରବଳ ତୁଷାରପାତ ଯୋଗୁଁ ୯୫ଦିନ ବଦଳରେ ଚଳିତ ବର୍ଷ ମାତ୍ର ୪୫ଦିନ ପାଇଁ ଶ୍ରୀନଗର-ଜୋଜିଲା-କାର୍ଗିଲ-ଲେହ ରାସ୍ତାକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏହାସହ ଦର୍ବ୍ୟୁକ-ଶ୍ୟୋକ- ଦୌଲତ ବେଗ୍ ଓଲ୍ଡି ରାସ୍ତାର ସମସ୍ତ ପୋଲର ମଧ୍ୟ ମରାମତି କରାଯାଇଛି । ଯେପରି ଏହି ରାସ୍ତାରେ ଭାରିଯାନ ଚଳାଚଳରେ କୌଣସି ଅସୁବିଧା ନହୁଏ ।