ଘାଟିରେ ସେନାକୁ ବଡ ସଫଳତା । କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ସହ ମିଶି କଲେ ଏନକାଉଣ୍ଟର । ନିପାତ ହେଲେ ଲସ୍କର-ଇ-ତୋଇବା ଏବଂ ହିଜବୁଲ ମୁଜାହୁଦ୍ଦିନର ୫ ଆତଙ୍କୀ ।

188

କନକ ବ୍ୟୁରୋ: ଘାଟିରେ ସେନାକୁ ବଡ ସଫଳତା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟର କରି ୫ଜଣ ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ । ମୃତ ଆତଙ୍କୀଙ୍କ ମଧ୍ୟରେ ରହିଛନ୍ତି ଲସ୍କର-ଇ-ତୋଇବାର ଏବଂ ହିଜବୁଲ ମୁଜାହିଦ୍ଦିନର ଆତଙ୍କୀ ।

ବୁଧବାର ଦକ୍ଷୀଣ କାଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଭାରତୀୟ ସେନାର ବଡ ଅପରେସନ୍ କରିଥିଲା । ଏବଂ କୁଲଗାମ୍ ଓ ପୁଛଲ ଜିଲ୍ଲାରେ ସେନା ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି । ମୃତ ଆତଙ୍କୀଙ୍କ ମଧ୍ୟରେ ଲସ୍କର-ଇ-ତୋଇବାର ଏବଂ ହିଜବୁଲ ମୁଜାହିଦ୍ଦିନର ଆତଙ୍କୀ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଏନକାଉଣ୍ଟର ସେନାର ଏକ ବଡ ସଫଳତା ବୋଲି କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ।

ବୁଧବାର କାଶ୍ମୀର ପୋଲିସକୁ ଖବର ମିଳିଲା ଯେ, ପୁଛଲରେ କିଛି ଆତଙ୍କୀ ଲୁଚି ରହିଛନ୍ତି । ସେନାର ସହାୟତାରେ କାଶ୍ମୀର ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ଲୁଚିରହିଥିବା ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ କରିଥିଲେ । ସେନା ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ଯେଉଁଥିରେ ୨ ଆତଙ୍କୀ ମୃତ୍ୟୁବରଣ କରିଛନ୍ତି । କାଶ୍ମୀର ଆଇଜିପିଙ୍କ କହିବା କଥା ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ ମଧ୍ୟ ସୁଯୋଗ ଦିଆଯାଇଥିଲା । ମାତ୍ର ସେମାନେ ରାଜି ହୋଇ ନଥିଲେ । ଶେଷରେ ସେନା ଗୁଳିରେ ନିପାତ ହେଲେ ଲସ୍କର ଇ ତୋଇବାର ୨ ଆତଙ୍କୀ । ଘାଟିରୁ ଆତଙ୍କବାଦୀ ଓ ଆତଙ୍କବାଦର ମୂଳପୋଛ କରିବା ପାଇଁ ସେନାର ଗୋଟିଏ ପରେ ଗୋଟିଏ ଅପରେସନ୍ ଜାରି ରହିଛି । ଆଉ ନିପାତ ହେଉଛନ୍ତି ଆତଙ୍କୀ ।