କନକ ବ୍ୟୁରୋ: ଶୀତ ଦିନେ ପାରଦ ଟିକେ ତଳକୁ ଖସିଲେ, ଏଠି ଆମେ ଝରକା କବାଟ କିଳି ଡବଲ କମ୍ବଳ ତଳେ ଶୋଇ ପଡୁଛେ, ହେଲେ ସେଠି ଯବାନଙ୍କ ପାଖରେ ନା ଅଛି ଛାତ, ନା କେଇ ସେକେଣ୍ଡ ପାଇଁ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଗଛ। ବରଂ ତୁହା କୁ ତୁହା ବରଫ ବର୍ଷା ଚାରିଆଡୁ ଦାନ୍ତକୁ ଦାନ୍ତରେ ମାଡ କରୁଥିବା ଜାଡ଼ର ଜବରଦସ୍ତ ପବନ। ବରଫ ଏମିତି ବରସୁଛି ଯେ, ଯବାନଙ୍କ ମୁଣ୍ଡରୁ ପିଠି... ପିଟିହୋଇ ଆଣ୍ଠୁଏ ବରଫ ଗଦା ପାଲଟିଲାଣି।
ମୋ ଦେଶର ସୀମା ସୁରକ୍ଷାରେ କିଏ ଏମିତି ବି ନିଜକୁ ସମର୍ପିତ କରିଦେଇପାରେ? ତାହା ଏ ବନ୍ଧୁକଧାରୀ ବୀର ପୁଅକୁ ଦେଖିଲେ ଦେହରେ ଶ୍ରୀହରଣ ଖେଳିଯାଉଛି। ହାତରେ ରାଇଫଲ ନାମକ ଅସ୍ତ୍ରକୁ ଧରି ଜାଗ୍ରତ ପ୍ରହରୀ ସାଜି ଛିଡ଼ା ହୋଇଥିବା ଯବାନଙ୍କ ପାଇଁ ଏ ଛାତି ଗର୍ବରେ ଫୁଲି ଉଠୁଛି। ଏହି ଭିଡ଼ିଓଟି ଆସିଛି ଜମ୍ମୁ କାଶ୍ମୀର ସୀମାରୁ। ପ୍ରତିରକ୍ଷା ମନ୍ତ୍ରଣାଳୟ ଉଦ୍ଧମପୁର ଅଫିସିଆଲ ଟ୍ୱିଟରରେ ଯବାନଙ୍କ ସମର୍ପଣର ଏହି ଭିଡିଓକୁ ପୋଷ୍ଟ କରିଛନ୍ତି।
ଯେଉଁଥିରେ ଲେଖା ଅଛି କି, ଆମ ଲକ୍ଷ୍ୟସ୍ଥଳରେ ହୁଏତ ଆମେ ସହଜରେ ପହଁଚି ପାରିବାନି କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଆଉ ବଳିଦାନ ଦ୍ୱାରା ଆମେ ଆମ ଲକ୍ଷ୍ୟ ହାସଲ କରିପାରିବା। ଆମକୁ ଜୀବନ ଗୋଟିଏ ଥର ପାଇଁ ମିଳିଛି ହେଲେ ଦେଶମାତୃକା ପାଇଁ ବଳିଦାନ ଦେବ କିଏ? ଏମିତି ପଥର ଭଳି ସୀମାରେ ଛିଡ଼ା ହେବ କିଏ?
ମାଇନସ୍ ଡିଗ୍ରୀ ତାପମାତ୍ରାରେ ହାତରେ ବନ୍ଧୁକ ଧରି କେମିତି ଭାରତ ମାଆର ସୁରକ୍ଷା କରୁଛନ୍ତି ଆମର ବୀର ଯବାନ । ଥଣ୍ଡା ଏମିତି ଯେ, ରକ୍ତ ବି ବରଫ ହୋଇଯିବ । ଆଉ ସେଭଳି ତାପମାତ୍ରାରେ ବି ଭାରତ ମାଆର ସେବା କରିଚାଲିଛନ୍ତି ତା ବୀର ପୁଅମାନେ ।
ସତରେ ଦେହରେ କେଇ ଆସ୍ତରଣ ଥିବା ଜ୍ୟାକେଟ, ବରଫ ସହୁନଥିବା ହାତ ଗ୍ଲୋଭସ। ଆଖି ପାଉନଥିବା କୁହୁଡ଼ି ବର୍ଷା, ଆଣ୍ଠୁଏ ବରଫରେ ଛିଡ଼ା ହେବା ଜଣେ ସାହସୀ ଯବାନ ହିଁ କରିପାରିବ। ତାଙ୍କ ହୃଦୟରେ ଥିବା ଦେଶ ମାତୃକା ପାଇଁ ସମର୍ପଣ ଭାବ ହିଁ ତାଙ୍କ ବୀରତ୍ୱର ପରିଚୟ। ଏତେ ଯନ୍ତ୍ରଣା କଷ୍ଟ ସହି ଆମକୁ ସୁରକ୍ଷିତ ରଖିଥିବା ଭାରତୀୟ ସେନାର ବୀର ଯବାନଙ୍କୁ ଆମର ଶହେ ସଲାମ୍ ।