ଚୀନ ସେନା ସାମ୍ନାରେ ପାକିସ୍ତାନକୁ ଚିତପଟାଙ୍ଗ କଲା ଭାରତୀୟ ସେନା । ଋଷ ସେନାର ଯବାନ ଦେଲେ ‘ଭାରତ ମାତା କି ଜୟ’ର ନାରା, ଭିଡିଓ ହେଲା ଭାଇରାଲ । ଜାଣନ୍ତୁ କାହିଁକି

161

ରଷରେ ଶୁଭିଲା ‘ଭାରତ ମାତା କି ଜୟ’ର ନାରା । ଏପରିକି ପାକିସ୍ତାନ ଓ ଚୀନର ସୈନିକଙ୍କ ସାମ୍ନାରେ ଭାରତ ମାତା କି ଜୟର ନାରା ପକାଉଥିଲେ ରଷ ସୈନିକ । ଏଭଳି ଏକ ଘଟଣା ଭଲିବଲ ମ୍ୟାଚରେ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଭାରତ ସଂଘାଇ କର୍ପୋରେସନରେ ସାମିଲ ହୋଇ ୭ଟି ଦେଶ ସହ ମିଳିତ ସମରାଭ୍ୟାସରେ ଭାଗ ନେଇଛି । ଭାରତ, ପାକିସ୍ତାନ, ଚୀନ, ରଷ ସମେତ କାଜାଖସ୍ତାନ, କିର୍ଗିସ୍ତାନ, ତାଜିକସ୍ତାନ ଓ ଉଜବେକିସ୍ତାନ ଏହି ସମରାଭ୍ୟାସରେ ଭାଗ ନେଇଛନ୍ତି । ସୀମାରେ ଉତ୍ତେଜନା ମୂଳକ ସ୍ଥିତି ଥିବା ବେଳେ ପାକିସ୍ତାନ ସହ ଭାରତର ମିଳିତ ସମରାଭ୍ୟାସକୁ ନେଇ ବିରୋଧୀ ମାନେ ପ୍ରଶ୍ନ ଉଠାଉଛନ୍ତି । ଆଉ ଏଭଳି ସ୍ଥଳେ ରଷରେ ପାକିସ୍ତାନକୁ ମାତ୍ ଦେଇଛି ଭାରତ । ଆଉ ଭାରତର ଏହି ବିଜୟରେ ଖୁସି ହୋଇ ରଷ ସେନା ମଧ୍ୟ ଭାରତ ମାତା କି ଜୟର ନାରା ପକାଇଥିଲେ ।


ସୂଚନା ଅନୁଯାୟୀ, ଏହି ସମରାଭ୍ୟାସ ସମୟରେ ୮ଟି ଦେଶର ସେନାର ଟିମକୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି । ଯାହା ଖେଳର ରୋମାଞ୍ଚକୁ ଦ୍ୱିଗୁଣିତ କରି ଦେଇଥିଲା । ତେବେ ମ୍ୟାଚରେ ଭାରତର ରାଜପୁତ ରେଜିମେଣ୍ଟର ପାଞ୍ଚ ଯବାନ ପାକିସ୍ତାନ ଯବାନ ମାନଙ୍କୁ ଧୂଳି ଚଟାଇ ଦେଇଥିଲେ । ମ୍ୟାଚକୁ ବେଶ ସହଜରେ ବାଜି ମାରି ନେଇଥିଲେ ଭାରତୀୟ ଯବାନ । କିନ୍ତୁ ମ୍ୟାଚ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଭାରତୀୟ ଆତ୍ମବିଶ୍ୱାସ ବଢାଇବାରେ ସହାୟକ ହୋଇଥିଲା । ମ୍ୟାଚ ରୋମାଞ୍ଚ ବଢୁଥିବା ବେଳେ ଭାରତୀୟ ଯବାନଙ୍କୁ ଚିୟର କରିବାକୁ ଆଗେଇ ଆସିଥିଲେ ଋଷ ସେନା । ସେହିଭଳି ପାକିସ୍ତାନ ସେନାକୁ ଚିୟର ଅପ କରୁଥିଲା ଚୀନ୍ ସେନା । ତେବେ ଶେଷରେ ବିଜୟର ଟୀକା ପିନ୍ଧିଥିଲା ଭାରତ । ଆଉ ଏଥିରେ ଖୁସି ହୋଇ ଋଷ ସେନାର ଯବାନ ମାନେ ଭାରତ ମାତା କି ଜୟର ନାରା ପକାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।


ସଂଘାଇ କର୍ପୋରେସନ ଅର୍ଗାନାଇଜେସନର ଶାନ୍ତି ମିଶନ -୨୦୧୮ ପାଇଁ ରଷରେ ମିଳିତ ସମରାଭ୍ୟାସ କରିବାକୁ ଏକାଠି ହୋଇଛନ୍ତି ୮ ଦେଶ । ଗତ ବର୍ଷ ଉଭୟ ଭାରତ ଓ ପାକିସ୍ତାନ ଏହି ଅନୁଷ୍ଠାନର ସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିଲେ । ଏହି ମିଳିତ ସମରାଭ୍ୟାସରେ ଯବାନ ମାନଙ୍କୁ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ପାଇଁ ଟ୍ରେନିଂ ଦିଆଯାଇଥାଏ । ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଯବାନ ମାନେ ବିଭିନ୍ନ ମକଡ୍ରିଲ କରିଥାନ୍ତି । ଏହି ମିଳିତ ସମରାଭ୍ୟାସ ଅଗଷ୍ଟ ୨୯ ଯାଏଁ ଜାରି ରହିବ । ଭାରତ ପକ୍ଷରୁ ୨୦୦ ସୈନିକ, ଚୀନର ୭୦୦ ଓ ଋଷର ୧୭୦୦ ସୈନିକ ଏହି ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।