କନକ ବ୍ୟୁରୋ : ଚଳିତ ଲୋକସଭା ଅଧିବେଶନରେ ଭାରତୀୟ ଆଣ୍ଟାର୍କଟିକ ବିଲ ପାରିତ ହୋଇଛି । ଏହି କ୍ରମରେ ଏବେ ଆଣ୍ଟାର୍କଟିକା ମହାଦ୍ୱୀପର ସୁରକ୍ଷା ପାଇଁ ଭାରତ କାମ କରିବ । ଆଣ୍ଟାର୍କଟିକା ଅଞ୍ଚଳରେ ଭାରତ ଦ୍ୱାରା ସ୍ଥାପନ ହୋଇଥିବା ରିସର୍ଚ୍ଚ ଷ୍ଟେସନରେ ଦେଶର ଘରୋଇ ଆଇନ ଲାଗୁ ହେବାକୁ ଯାଉଛି । ଏନେଇ ଭାରତ ସରକାରଙ୍କ ତରଫରୁ ସଂସଦରେ ଏକ ସ୍ୱତନ୍ତ୍ର ବିଲ ଆଣିଛନ୍ତି । ଏହି ବିଲ୍ ଗତକାଲି ଲୋକସଭାରେ ଗୃହୀତ ହୋଇଛି ।

Advertisment

ଏନେଇ ଲୋକସଭାରେ ବିତର୍କ ହୋଇଥିଲା । ବିତର୍କ ବେଳେ କେନ୍ଦ୍ରମନ୍ତ୍ରୀ ଜିତ୍ରେନ୍ଦ୍ର ସିଂ କହିଛନ୍ତି କି ୧୯୫୯ ମସିହାରେ ଆଣ୍ଟାର୍କଟିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୧୯୮୩ ମସିହାରେ ଭାରତ ଏହି ବିଲ ଉପରେ ସ୍ୱାକ୍ଷର କରିଥିଲା । ଏହି ଚୁକ୍ତି ମୁତାବକ ଆଣ୍ଟାର୍ଟିକାକୁ କୌଣସି ପ୍ରକାର ସାମରିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବ ନାହିଁ । ଏହାସହ କୌଣସି ଦେଶ ଏଠାରେ ଖନନ କିମ୍ବା କୌଣସି ବେଆଇନ କାର୍ଯ୍ୟ କରିପାରିବେ ନାହିଁ । କେବଳ ସେତିକି ନୁହେଁ ୧୯୫୯ ଚୁକ୍ତି ମୁତାବକ ଅଣ୍ଟାର୍କଟିକା ମହାଦ୍ୱୀପରେ କେହି ଆଣବିକ ଶକ୍ତି ପରୀକ୍ଷା କରିପାରିବେ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ ରହିଛି ।

ସେପଟେ କୁହାଯାଇଛି କି, ସଂସଦରେ ଏହି ବିଲ ପାରିତ ହେବା ପରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଏହି କମିଟିରେ ଭୂ ବିଜ୍ଞାନ ସଚିବ ମୁଖ୍ୟ ରହିବେ ଓ ଅନ୍ୟ ମନ୍ତ୍ରଣାଳୟରୁ ଏଥିରେ ପ୍ରତିନିଧି ରହିବେ । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଣ୍ଟାର୍କଟିକାରେ ରହିଥିବା ଭାରତୀୟ ଅନୁଷ୍ଠାନ ଓ କର୍ମଚାରୀ ରହୁଥିବା ଅଞ୍ଚଳରେ ଭାରତର ଘରୋଇ ଆଇନ ଲାଗୁହେବ ।

କହିରଖୁ କି ଦ. ଇଣ୍ଡିଆନ ଆଣ୍ଟାର୍କଟିକ ବିଲ ୨୦୨୨ କେବଳ ଭାରତ ଓ ଭାରତରେ ରହୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ବିଲରେ ସିଏଏ ଓ ଏନଆରସି ସହ କୌଣସି ସମ୍ବନ୍ଧ ନାହିଁ । ତେଣୁ କେନ୍ଦ୍ର ସରକାର ସଂସଦରେ ଏହି ବିଲ ଆଗତ କରିବା ବେଳେ ବିରୋଧୀଦଳମାନେ କୌଣସି ଆପତ୍ତି ଉଠାଇ ନଥିଲେ ।