ପେଙ୍ଗଙ୍ଗ ହ୍ରଦ ନିକଟ ସୋପୋଆ ମାଉନଟେନ୍ ଟପରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ : କଡା ଜବାବ ଦେଲା ଭାରତୀୟ ସେନା, ଚୀନର ଅଭିଯୋଗ, ଅନୁପ୍ରବେଶ ଉଦ୍ୟମ କରିଥିଲା ଭାରତ; ଭାରତୀୟ ସେନା କହିଲା ଚୀନ ସେନାର ଅନୁପ୍ରବେଶ ରୋକିବା ପାଇଁ କରାଯାଇଥିଲା ଫଲ୍ସ ଫାୟାରିଙ୍ଗ

478

କନକ ବ୍ୟୁରୋ : ଚୀନକୁ ପୁଣି ଥରେ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନ ସେନା ଗୁଳି ଫୁଟାଇବା ପରେ ପାଲଟା ଗୁଳିମାଡ କରି ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ପୂର୍ବ ଭଳି ଏଥର ମଧ୍ୟ ଅନ୍ଧାର ରାତିର ସୁଯୋଗ ନେଇ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସୋପୋଆ ମାଇନଟେନ ଟପ୍ସରେ ଭାରତୀୟ ସେନାର ଏକ କ୍ୟାମ୍ପ ନିକଟରେ ଫଲ୍ସ ଫାୟାରିଙ୍ଗ୍ କରିଥିଲେ ପିପୁଲସ ଲିବରେସନ ଆର୍ମିର ଯବାନ । ଏହାର ଜବାବରେ ଭାରତୀୟ ସେନା ପାଲଟା ଗୁଳିମାଡ କରି ନିଜର ଉପସ୍ଥିତି ଜାହିର କରିଥିଲା । ଭାରତୀୟ ସେନା ଲଗାତାର ଗୁଳି ମାଡ କରି ଚୀନ ସେନାକୁ ପଛ ଘୁଂଚା ଦେବାକୁ ବାଧ୍ୟ କରିଛି । ସୋପୋଆ ଟପସ ସାମରୀକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱ ବହନ କରୁଛି । ଏଠାରେ ଭାରତର ସ୍ଥିତି ମଜଭୁତ ରହିଛି । ଏଥିପାଇଁ ଚୀନ ସେନା ଏହାକୁ ନିଜ କବଜାକୁ ନେବାକୁ ପ୍ରୟାସ ଜାରି ରଖିଛି । ଯାହାକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ସେନା ।

କାଲାଟପ୍ ଓ ହେଲମେଟ ଟପକୁ ଚୀନ ସେନା କବଜା କରିବା ପରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ତେଣୁ ଚୀନ ଅନୁପ୍ରବେଶ ଉଦ୍ୟମ କରିବା ମାତ୍ରେ ତାକୁ କଡା ଜବାବ ଦେଇଛି । ତେବେ ୧୯୭୫ ପରେ ଏଲଏସିରେ ଦୁଇ ଦେଶର ସେନା ମଧ୍ୟରେ ଏହା ପ୍ରଥମ ଗୁଳି ବିନିମୟ ବୋଲି କୁହାଯାଉଛି । ଏପରିକି ଗଲୱାନ ଘାଟିରେ ହୋଇଥିବା ବଡ ସଂଘର୍ଷରେ ମଧ୍ୟ ଗୁଳି ବିନିମୟ ହୋଇନଥିଲା । ଏହା ପୂର୍ବରୁ ୩୧ ତାରିଖରେ ମଧ୍ୟ ଚୀନ୍ ଅନୁପ୍ରବେଶ ଉଦ୍ୟମ କରିବାବେଳେ ଭାରତୀୟ ସେନା ଗୁଳିମାଡ କରି ସତର୍କ କରିବା ପରେ ସେମାନେ ପଛ ଘୁଂଚା ଦେଇଥିଲେ । ହେଲେ ଗତକାଲି ପ୍ରଥମ ଥର ପାଇଁ ଗୁଳି ମାଡ କରିଛନ୍ତି ଚୀନ ସୈନିକ ।