ଭାରତୀୟ-ଆମେରିକୀୟମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ‘ନାସା’ର ବୈଜ୍ଞାନିକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ରେ କଥାବାର୍ତ୍ତା କରିବା ବେଳେ କହିଛନ୍ତି । ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟର ବହୁସଂଖ୍ୟକ ବ୍ୟକ୍ତି ତାଙ୍କ ପ୍ରଶାସନରେ ନିଯୁକ୍ତି ପାଉଥିବା କଥାକୁ ଭିତ୍ତିକରି ବାଇଡେନ୍ ଏ କଥା କହିଥିବା ଜଣାପଡ଼ିଛି ।
ରାଷ୍ଟ୍ରପତି ହେବାର ୫୦ ଦିନରୁ କମ୍ ସମୟ ମଧ୍ୟରେ, ବାଇଡେନ୍ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ଅନ୍ୟୂନ ୫୫ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ଦେଇଛନ୍ତି । ଭାଷଣ ଲେଖକଙ୍କ ଠାରୁ ଆରମ୍ଭ କରି ‘ନାସା’ ପର୍ଯ୍ୟନ୍ତ, ତାଙ୍କ ସରକାରର ପ୍ରାୟ ସବୁ ବିଭାଗରେ ଭାରତୀୟ ବଂଶୋଦ୍ଭବମାନେ ସ୍ଥାନ ପାଇଛନ୍ତି ।
ମଙ୍ଗଳ ଗ୍ରହରେ ରୋଭର୍ ‘ପର୍ସୁଭିୟରାନ୍ସ୍’ର ଐତିହାସିକ ଅବତରଣରେ ସମ୍ପୃକ୍ତ ‘ନାସା’ର ବୈଜ୍ଞାନିକମାନଙ୍କ ସହ ହୋଇଥିବା ଭର୍ଚ୍ୟୁଆଲ୍ ଆଳାପ ସମୟରେ ବାଇଡେନ୍ କହିଲେ, ଭାରତୀୟ-ଆମେରିକୀୟମାନେ ଦେଶକୁ ନିୟନ୍ତ୍ରଣ କରୁଛନ୍ତି । ଯେମିତି, ଆପଣ (ସ୍ୱାତୀ ମୋହନ), ମୋର ଉପରାଷ୍ଟ୍ରପତି (କମଳା ହାରିସ୍), ମୋର ଭାଷଣ ଲେଖକ (ବିନୟ ରେଡ୍ଡୀ) ।
ସୂଚନାଯୋଗ୍ୟ, ୨୦୨୦ ଜାନୁଆରି ୨୦ ତାରିଖ ଦିନ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ବାଇଡେନ୍ ତାଙ୍କ ପ୍ରଶାସନରେ ଅନ୍ୟୂନ ୫୫ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ଦେଇ ଇତିହାସ ରଚିଛନ୍ତି । ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ହ୍ଵାଇଟ୍ ହାଉସ୍ରେ କାର୍ଯ୍ୟରତ ମହିଳା ।