କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଭାରତ ପକ୍ଷରୁ ବାରମ୍ବାର ଶାନ୍ତି ପାଇଁ ଅପିଲ କରାଯାଉଛି । ଆମେରିକା ସମେତ ଅନେକ ଦେଶ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିବା ବେଳେ ଭାରତ କିନ୍ତୁ ଏଯାବତ କାହା ସମର୍ଥନରେ ପଦୁଟିଏ ମଧ୍ୟ କହିନାହିଁ । ଉଭୟ ପକ୍ଷ ସହ ଆଲୋଚନା ବେଳେ ଯୁଦ୍ଧ ସମାପ୍ତି ପାଇଁ ବାରମ୍ବାର କହିଆସିଛି ଭାରତ । ଆଉ ତାହା ବି ପୁଣି କୂଟନୈତିକ ସ୍ତରରେ ଆଲୋଚନା ବଳରେ । ଏପରିକି ଜାତିସଂଘରେ ମଧ୍ୟ ଉଭୟ ଦେଶ ଶାନ୍ତି ପାଇଁ ପ୍ରୟାସ କରନ୍ତୁ ବୋଲି ଭାରତ କହି ଆସୁଛି । କିନ୍ତୁ ଋଷ ବିରୋଧରେ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ ଖୋଲୁ ଏକଥା ଚାହୁଁଛି ଆମେରିକା । ଏନେଇ ବାରମ୍ବାର ଭାରତ ଉପରେ ବିଭିନ୍ନ ସ୍ତରରେ ଚାପ ପକାଉଛି ଆମେରିକା । ଆଉ ଏସବୁ ଭିତରେ ଆମେରିକାର ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ବଡ ବୟାନ ଦେଇଛନ୍ତି ।
ଭାରତୀୟ ବଂଶୋଦ୍ଭବ ସାଂସଦ ର ଖାନ୍ନା କହିଛନ୍ତି, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିବା ଉଚିତ୍ । ଏପରିକି ଋଷ ଓ ଚୀନ୍ ଠାରୁ ଭାରତ ତେଲ ନ କିଣୁ । କାରଣ ସମୟ ଆସିଛି ଭାରତ କାହା ପକ୍ଷରେ ରହିବ ସେନେଇ ଚିନ୍ତା କରିବା ଆବଶ୍ୟକ । ପୁଟିନଙ୍କୁ ଏକଘରକିଆ କରିବାକୁ ପୂରା ବିଶ୍ୱକୁ ଏକଜୁଟ ହେବାର ଆବଶ୍ୟକତା ରହିଛି । ଏହାସହ ଭାରତର ବୈଦଶିକ ନୀତିକୁ ନେଇ ଆଲୋଚନା କରିଛନ୍ତି ର ଖାନ୍ନା ।
ଏତିକିରେ ଅଟକିନାହାନ୍ତି ର ଖାନ୍ନା । ସେ କହିଛନ୍ତି. ଯେତେବେଳେ ଭାରତ ଉପରେ ଚୀନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା । ସେତେବେଳେ ଭାରତ ସହ ଛିଡା ହୋଇଥିଲା ଆମେରିକା । ପୁଟିନ ସେତେବେଳେ ମୁହଁ ଖୋଲିନଥିଲେ । ତେଣୁ ଏବେ ଆମେରିକା ଠାରୁ ଭାରତ ନିଜର ଯୁଦ୍ଧାସ୍ତ୍ର କିଣୁ । ଚୀନକୁ ମୁହଁତୋଡ ଜବାବ ଦେବାକୁ ହେଲେ ଭାରତ-ଆମେରିକା ସହଯୋଗୀ ରାଷ୍ଟ୍ର ଭାବେ କାନ୍ଧ ମିଳାଇ ଚାଲିବା ଉଚିତ୍ ।
ଏସବୁ ଭିତରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ପକ୍ଷରୁ ସେଭଳି କୌଣସି ଟିପ୍ପଣୀ ଦିଆଯାଇନାହିଁ । ଯାହାଦ୍ୱାରା ଅନ୍ୟ ଦେଶ ସହ ସମ୍ପର୍କ ଖରାପ ହେବ । ଏପରିକି ଜାତିସଂଘରେ ଋଷ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବରୁ ମଧ୍ୟ ଭାରତ ନିଜକୁ ଦୂରେଇ ରଖିଛି । କିନ୍ତୁ ଶାନ୍ତି ଫେରାଇ ଆଣିବାକୁ ଉଭୟ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହେଉ ଏକଥା ବାରମ୍ବାର ଅପିଲ କରି ଆସୁଛି ଭାରତ ।