ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।

1,363

କନକ ବ୍ୟୁରୋ : ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ସହ ପ୍ରଥମ କରି କୂଟନୈତିକ ଆଲୋଚନା କରିଛି ଭାରତ । କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଛନ୍ତି । ଆଉ ସେମାନଙ୍କ ଉଦ୍ଧାର ନେଇ ତାଲିବାନ ସହ ଆଲୋଚନା କରିଛି ଭାରତ । କତାର ରାଜଧାନୀ ଦୋହାରେ ତାଲିବାନୀ ନେତାଙ୍କୁ ଭେଟିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ।

ତାଲିବାନ ସହ ଭାରତର ପ୍ରଥମ ବୈଠକ । ଭାରତୀୟଙ୍କୁ ଉଦ୍ଧାର ନେଇ ଆଲୋଚନା । କାବୁଲ ଏୟାରପୋର୍ଟରୁ ଆମେରିକା ସେନାର ପ୍ରତ୍ୟାବର୍ତ୍ତନ ପରେ ତାଲିବାନସହ ପ୍ରଥମ କୂଟନୈତିକ ଆଲୋଚନା କରିଛି ଭାରତ । ଭାରତୀୟ ଦୂତାବାସଙ୍କ ଏକ ଟିମ୍ ଦୋହାରେ ତାଲିବାନ ନେତାଙ୍କ ସହ ଆଲୋଚନା କରିଛନ୍ତି । କତାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତଲ ତାଲିବାନ ନେତା ଶେର ମହମ୍ମଦ ଆବାସ ସ୍ତନେକଜାଇଙ୍କୁ ଭେଟି ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର ନେଇ ଆଲୋଚନା କରିଛନ୍ତି । ଏହି ବୈଠକ କତାର ରାଜଧାନୀ ଦୋହାରେ ଥିବା ଭାରତୀୟ ଦୂତାବାସରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ,
– ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷା
– ଫସିରହିଥିବା ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଆଲୋଚନା କରାଯାଇଛି ।

ସେପଟେ କାବୁଲରୁ ଉଡାଣ ଉପରେ ତାଲିବାନ କଟକଣା ଲଗାଇବା ପରେ କାବୁଲ ବିମାନ ବନ୍ଦରରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ ଜେ ବିମାନ ଭାରତ ଫେରିଆସିଛି । ତେବେ ଭାରତୀୟଙ୍କ ଉଦ୍ଧାର ନେଇ ତାଲିବାନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ସେପଟେ ତାଲିବାନ କାବୁଲ ଏୟାରପୋର୍ଟକୁ ନିଜ ଅକ୍ତିଆରକୁ ନେବା ପରେ ସେଠାରେ ଥିବା ଅନ୍ୟ ଦେଶର ନାଗରିକ ମଧ୍ୟ ସ୍ୱଦେଶ ଫେରିବା ନେଇ ଚିନ୍ତାରେ । ଆମେରିକା ସୈନ୍ୟ କାବୁଲରେ ସୁରକ୍ଷା ଦେଉଥିଲେ । ଏବେ ଆମେରିକା ସେନା ପ୍ରତ୍ୟାହାର କରି ନେବା ସହ ତାଲିବାନ ବିମାନ ଉଡାଣ ଉପରେ କଟକଣା ଲଗାଇଥିବାରୁ ଫସି ରହିଥିବା ଲୋକେ କିପରି ଫେରିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।