ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ: ଦମ୍ ଦେଖାଇଲା ବାୟୁସେନାର ଲଢୁଆ ବିମାନ ରାଫେଲ ଓ ସୁଖୋଇ ଏସ୍ୟୁ-୩୦

70

କନକ ବ୍ୟୁରୋ: ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନା । କେବଳ ସେତିକି ନୁହେଁ ରାଫେଲ ଓ ସୁଖୋଇ ଏସ୍ୟୁ-୩୦ ଭଳି ଯୁଦ୍ଧ ବିମାନ ଆକାଶରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଡିଏସ୍ ବିପିନ ରାୱତ, ନୌସେନା ମୁଖ୍ୟ କମରବୀର ସିଂହ, ସ୍ଥଳ ସେନା ମୁଖ୍ୟ ଏମ୍ ଏମ୍ ନରଭଣେଙ୍କୁ ଦେଖିବାକୁ ମିଳିଛି ।

ଭାରତୀୟ ବାୟୁସେନା ପାଳନ କରୁଛି ୮୯ତମ ପ୍ରତିଷ୍ଠା ଦିବସ । ଆଉ ଏହି ଅବସରରେ ବାୟୁସେନା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ସିଡିଏସ୍ ବିପିନ ରାୱତ, ନୌସେନା ମୁଖ୍ୟ କମରବୀର ସିଂହ, ସ୍ଥଳ ସେନା ମୁଖ୍ୟ ଏମ୍ ଏମ୍ ନରଭଣେ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଆକାଶ ମାର୍ଗରେ ଲଢୁଆ ବିମାନର ପରେଡ୍ । ବାୟୁସେନାର ଲଢୁଆ ବିମାନ ଆକାଶରେ ନିଜଜବରସ୍ତ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନ ଗାଜିଆବାଦର ହଣ୍ଡିନ ଏୟାରବେସ୍ରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ଓ ସୁଖୋଇ ଏସ୍ୟୁ-୩୦କୁ ମଧ୍ୟ ଦେଖାଇଛନ୍ତି ଜବରଦସ୍ତ ସୋ ।

୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଭାରତୀୟ ବାୟୁସେନା ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍ରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ ହୋଇଛି । ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଏପରି ଆୟୋଜନ କରିଛି ଭାରତୀୟ ବାୟୁସେନା ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ବାୟୁସେନାକୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ବୋଲି କୁହାଯାଉଥିଲା । ଦେଶ ସ୍ୱାଧୀନ ହେବା ପରେ ରୟାଲ ଶବ୍ଦକୁ ହଟାଯାଇ ଇଣ୍ଡିଆନ୍ ଏୟାରଫୋର୍ସ ଦିଆଯାଇଥିଲା ।