ଭାରତୀୟ ବାୟୁସେନା ବନାମ ପାକିସ୍ତାନ ବାୟୁସେନା । କାହାର ଶକ୍ତି ଅଧିକ? ପଢନ୍ତୁ ଏହି ରିପୋର୍ଟ

440

କନକ ବ୍ୟୁରୋ : ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ରଙ୍କ କଥା ଯଦି କହିବା ତେବେ ଆମେରିକା, ଚୀନ୍, ଋଷ ପରେ ଚତୁର୍ଥ ନମ୍ବରରେ ଆସୁଛି ଭାରତ । ଭାରତ ତାର ସାମରିକ ଶକ୍ତି ଦିନକୁ ଦିନ ବଢାଇବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ସାଧାରଣରେ ଏକ ପ୍ରଶ୍ନ ଉଠିଛି ଭାରତୀୟ ବାୟୁସେନା ଏବଂ ପାକିସ୍ତାନ୍ ବାୟୁସେନା ମଧ୍ୟରେ ସବୁଠୁ ଅଧିକ ଶକ୍ତିଶାଳି କିଏ ? ଏହି ପ୍ରଶ୍ନକୁ ଶୁଣି ଯେ କେହିବି କହିବ, ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ କିନ୍ତୁ ଚୀନ୍ ବଳରେ ଧିରେ ଧିରେ ବଳିଆନ୍ ହେବାରେ ଲାଗିଛି ପାକିସ୍ତାନ୍ । ଚୀନ୍ ସହାୟତାରେ ପାକିସ୍ତାନ ବାୟୁସେନା ନିଜକୁ ଅପଗ୍ରେଡ୍ କରୁଛି । ତେବେ ଆସନ୍ତୁ ଜାଣିବା କିଏ କାହାଠୁ ଅଧିକ ଶକ୍ତିଶାଳି…
୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଭାରତୀୟ ବାୟୁସେନା ପୂର୍ବରୁ ପାକିସ୍ତାନ୍ ବାୟୁସେନା ପ୍ରତିଷ୍ଠା ହୋଇସାରିଥିଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଯଦି ଆମେ ୱାର୍ଲ୍ଡ ର୍ୟାଙ୍କିଙ୍ଗ୍ ରିପୋର୍ଟକୁ ଦେଖିବା ତେବେ ପାକିସ୍ତାନ ବାୟୁସେନା ୮ମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବାୟୁସେନା ୪ର୍ଥ ସ୍ଥାନରେ ରହିଛି ।
ସାମରିକ ଶକ୍ତି…
ଭାରତୀୟ ବାୟୁସେନା ପାଖରେ ୧୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି, ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି । ଭାରତୀୟ ବାୟୁସେନା ପାଖରେ ୧୯୨୬ରୁ ଅଧିକ ଏୟାରକ୍ରାପ୍ଟ ରହିଛି । ଠିକ୍ ସେହିପରି ପାକିସ୍ତାନ ବାୟୁସେନା ପାଖରେ ୭୦ ହଜାର ସକ୍ରିୟ ସୈନ୍ୟ, ୮ହଜାର ରିଜର୍ଭ ଫୋର୍ସ ୯୭୦ରୁ ଅଧିକ ଏୟାରକ୍ରାପ୍ଟ ରହିଛି । ଯଦି ଆମେ ଫାଇଟର୍ ଜେଟ୍ କଥା କହିବା, ଭାରତ ପାଖରେ ଋଷ ନିର୍ମିତ ୨୮୩ଟି ସୁଖୋଇ-୩୦ ଏକେଆଇ । ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ କଠିନରୁ କଠିନ ପାଗରେ ବି ଯୁଦ୍ଧ ଲଢିବା ପାଇଁ ସକ୍ଷମ । ମଲ୍ଟି ରୋଲ ଫାଇଟର୍ ଜେଟ୍ କଥା ଯଦି କହିବା ତେବେ ଭାରତ ୩୬ଟି ଡାସଲ୍ଟ ରାଫେଲ ଫାଇଟର ଏୟାରକ୍ରାପ୍ଟ, ୬୯ଟି ମିକୋୟାନ୍ ମିଗ୍-୨୯, ୫୯ ମିରାଜ, ୧୨୩ଟି ତେଜସ ଯୁଦ୍ଧ ବିମାନ ଅର୍ଡର ଦିଆଯାଇଛି । ଏବେ ଭାରତ ପାଖରେ ରହିଛି ୫ଟି ତେଜସ୍, ୧୩୯ ସେପରକ୍ୟାଟ୍ ଜାଗୁଆର୍ ଏବଂ ୧୨୫ଟି ମିଗ୍-୨୧ ବାଇସନ୍ ଏୟାରକ୍ରାପ୍ଟ ରହିଛି ।
ସେହିପରି ପାକିସ୍ତାନ୍ ପାଖରେ ଆମେରିକା ତିଆରି ୭୫ଟି ଏଫ୍-୧୬, ୧୩୪ ଚୀନ ନିର୍ମିତ ଜେଏଫ୍-୧୭ ରହିଛି । ଏହାଛଡା ୮୦ଟି ମିରାଜ-୩ ଫାଇଟର ଜେଟ୍, ୯୦ଟି ମିରାଜ୍-୫, ଏବଂ ୧୪୦ଟି ଏଫ୍-୭ ପିଜି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି କିନ୍ତୁ ସେଥିମଧ୍ୟରୁ ଏଫ୍-୧୬ ଏବଂ ଏଫ୍-୧୭କୁ ଛାଡିଦେଲେ ଆଉ କୌଣସି ଯୁଦ୍ଧ ବିମାନ ମଲ୍ଟି ରୋଲ ଫାଇଟର ଜେଟ୍ ନୁହେଁ ।
ଫିକ୍ସଡ ୱିଂଗ୍ସ ଏୟାରକ୍ରାପ୍ଟ କଥା କୁହାଗଲେ, ଭାରତ ତୁଳନାରେ ପାକିସ୍ତାନ ବହୁତ ପଛରେ ରହିଛି । ଭାରତ ପାଖରେ ମୋଟ ୮୯୭ ଫିକ୍ସଡ ୱିଂଗ୍ସ୍ କମ୍ବାକ୍ଟ ଏୟାରକ୍ରାପ୍ଟ ରହିଛି । ସେହି ତୁଳନାରେ ପାକିସ୍ତାନ ପାଖରେ ୭୫୫ ଫିକ୍ସଡ ୱିଂଗ୍ସ ଲଢୁଆ ଏୟାରକ୍ରାପ୍ଟ ରହିଛି । ଭାରତୀୟ ବାୟୁସେନା ପାଖରେ ୨୨ଟି ଆପାଚେ ଆଟାକ୍ ହେଲିକପ୍ଟର । ୬୮ଟି ଏଚଏଲ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର, ୧୫ ଚିନୁଖ୍ ହେବି ଲିପ୍ଟ ହେଲିକପ୍ଟର, ୧୫୦ଟି ଏମଆଇ-୧୭ବି ରହିଛି । କିନ୍ତୁ ପାକିସ୍ତାନ ପାଖରେ କୌଣସି ଏପରି କମ୍ବାକ୍ଟ ହେଲିକପ୍ଟର ନାହିଁ ।
ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ପାକିସ୍ତାନୀ ବାୟୁସେନାର ସଂଖ୍ୟା, ଫାଇଟର ଏୟାରକ୍ରାପ୍ଟ, ହେଲିକପ୍ଟର ସଂଖ୍ୟା ଭାରତୀୟ ବାୟୁସେନା ତୁଳନାରେ କିଛି ବି ନୁହେଁ । ତଥାବି ପାକିସ୍ତାନ ବାୟୁସେନା ଚୀନ୍ ବଳରେ ବଳିଆନ୍ ହେବାକୁ ଚେଷ୍ଟା କରୁଛି ।