ଆକାଶରେ ଦମ୍ ଦେଖାଇବ ଭାରତ । ବାୟୁସେନାରେ ସାମିଲ ହେବ ମିଜାଇଲ୍ ଅସ୍ତ୍ର, ଶତ୍ରୁ ପକ୍ଷର ରାଡାରକୁ ଦେବ ଚକମା ।

226

କନକ ବ୍ୟୁରୋ : ଆକାଶରେ ଏବେ ଦମ ଦେଖାଇବ ଭାରତ । ଦେଶୀ ଜ୍ଞାନକୌଶଳରେ ନିର୍ମିତ ସୁପରସୋନିକ ଏୟାର ଟୁ ଏୟାର ମିଜାଇଲ ଅସ୍ତ୍ର ସାମିଲ ହେବ ବାୟୁସେନାରେ । ବାଲାକୋଟ୍ ଆକ୍ରମଣ ପରେ ପାକିସ୍ତାନର ଏଫ-୧୬କୁ ମୁକାବିଲା କରିବାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହା ଦୂର ହେବ । କାରଣ ଚତୁର୍ଥ ରାଷ୍ଟ୍ରଭାବେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ଏହି ଶକ୍ତିଶାଳୀ ମିଜାଇଲ ନିର୍ମାଣ କରିଛି ଭାରତ । ଶବ୍ଦ ଠାରୁ ୪ ଗୁଣ ଅଧିକ କ୍ଷୀପ୍ର ବେଗରେ ଗତି କରିଥିବାରୁ ଶତ୍ରୁ ପକ୍ଷର ରାଡାରକୁ ଚକମା ଦେଇ ଧ୍ୱଂସଲୀଳା ରଚିବ ।

ବାୟୁସେନାକୁ ମିଳିବ ‘ଅସ୍ତ୍ର’ । ଆକାଶରେ ଦମ୍ ଦେଖାଇବ ଭାରତ । ଆକାଶରେ ଶତ୍ରୁପକ୍ଷକୁ ମାତ ଦେବା ପାଇଁ ଦେଶୀୟ ଜ୍ଞାନକୌଶଳରେ ବିଅଣ୍ଡ ଭିଜୁଆଲ୍ ରେଂଜ ଏୟାର ଟୁ ଏୟାର ମିଜାଇଲ୍ – ‘ଅସ୍ତ୍ର’ ନିର୍ମାଣ କରିଛି ଭାରତ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ୧୫ ବର୍ଷର ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ଷେପଣାସ୍ତ୍ର । ସବୁଠୁ ବଡ଼ କଥା ହେଲା, ୧୧୦ କିଲୋମିଟର ଦୂରରୁ ଟାର୍ଗେଟକୁ ଧ୍ୱଂସ କରିପାରିବ ଅସ୍ତ୍ର । ଆମେରିକା, ରଷିଆ, ଇସ୍ରାଇଲ ପରେ ଏପରି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିର୍ମାଣ କରିବା ତାଲିକାରେ ସ୍ଥାନ ପାଇଛି ଭାରତ ।

‘ଅସ୍ତ୍ର’ର ବିଶେଷତ୍ୱ : 

ଲମ୍ବ – ୩.୫୭ ମିଟର, ଓଜନ – ୧୫୪ କେଜି
ଶବ୍ଦର ଗତିଠାରୁ ୪ ଗୁଣ ଅଧିକ ବେଗରେ ଗତି କରିବ ଅସ୍ତ୍ର
ଅର୍ଥାତ ଘଂଟାକୁ ଅତିକ୍ରମ କରିବ ପ୍ରାୟ ୫୦୦୦ କିଲୋମିଟର
ଯୁଦ୍ଧ ବିମାନରୁ ଆକାଶ ମାର୍ଗରୁ ହେବ ପ୍ରକ୍ଷେପଣ
ଶତ୍ରୁପକ୍ଷର ବିମାନକୁ ଟାର୍ଗେଟ୍ କରିବ ଏବଂ
ଆଖି ପିଛୁଳାକେ ରଚିବ ଧ୍ୱଂସ ଲୀଳା
ଯେକୌଣସି ପାଣିପାଗରେ କାର୍ଯ୍ୟ କରିପାରିବ
ଆଉ ଏହାର ରହିଛି ଅତୁଳନୀୟ ଲକ୍ଷ୍ୟଭେଦ କ୍ଷମତା
ଏକାଧିକ ଏୟାରକ୍ରାଫ୍ଟକୁ ଦେଇପାରିବ ଚକମା
ଗୋଟିଏ ୟୁନିଟର ମୂଲ୍ୟ ରହିଛି ୭-୮ କୋଟି ଟଙ୍କା

ରଷିଆର ସୁଖୋଇ-ଥାର୍ଟି ହେଉ କିମ୍ବା ଭାରତର ତେଜସ୍ ହେଉ, ଲଢ଼ୁଆ ବିମାନରୁ ଏହି ମିଜାଇଲ୍ ପ୍ରକ୍ଷେପଣ ହେଲେ ଆକାଶ କମ୍ପିଉଠିବ, ଥରି ଉଠିବ ଶତ୍ରୁପକ୍ଷ । ଗତ ସପ୍ତାହରେ ଚାନ୍ଦିପୁରରେ ହୋଇଥିବା ପରୀକ୍ଷଣରେ ସୁଖୋଇ ବିମାନରୁ ୫ ଥର ସଫଳତାର ସହ ଟାର୍ଗେଟ୍ ଏୟାରକ୍ରାଫ୍ଟ ବଂଶୀକୁ ଭେଦ କରିଛି ଅସ୍ତ୍ର । ଏହି ପରୀକ୍ଷଣ ପରେ ୨୦୦ଟି ‘ଅସ୍ତ୍ର’ କ୍ଷେପଣାସ୍ତ୍ର ଦେବା ପାଇଁ ଡିଆର ଡିଓକୁ କହିଛି ଭାରତୀୟ ବାୟୁସେନା ।