ଆକାଶରେ ଆପାଚି ଉଡୁଛି, ତଳେ ଟ୍ୟାଙ୍କ ଜଗିଛି ଆକାଶରେ ଉଡୁଛି ଭାରତର ଘାତକ ଅସ୍ତ୍ର ଆପାଚି, ତୁହାକୁ ତୁହା ଉଡୁଛି କ୍ଷେପଣାସ୍ତ୍ର ବିଧ୍ୱଂସୀ ଲଢୁଆ ବିମାନ । ଚୀନକୁ ସାବାଡ କରିବାକୁ ଭାରତୀୟ ସେନାର ସମରସଜ୍ଜା ।

1,062

କନକ ବ୍ୟୁରୋ: ଗଲୱାନ ଘାଟିରେ ଡ୍ରାଗନ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ଲଢେଇ ପରେ ସୀମାରେ ଉତେଜନା ଚରମ ସୀମାରେ ପହଂଚିଛି । ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସି ନିକଟରେ ବଢିଛି ସେନା ମୁତୟନ । ଉଭୟ ଭାରତୀୟ ଯବାନ ଏବଂ ଚାଇନା ଯବାନଙ୍କ ମୁତୟନ ସଂଖା ଆଗ ଅପେକ୍ଷା ବେଶ ବୃଦ୍ଧି ପାଇଛି ।

ଆକାଶରେ ଉଡୁଛି ଯୁଦ୍ଧ ବିମାନ
ଉଡାଣ ଭରୁଛି ସୁଖୋଇ, ମିରାଜ
ଚକ୍କର ମାରୁଛି ଆପାଚି

ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଲି ସେନା ମୁତୟନ ହୋଇନି, ଆକାଶରେ ପଇଁତରା ମାରିବା ଆରମ୍ଭ କରିଦେଇଛନ୍ତି ଭାରତୀୟ ଯୁଦ୍ଧ ବିମାନ । ମିରାଜ, ସୁଖୋଇ ବିମାନର ତୁହାକୁ ତୁହା ଉଡାଣ ଦେଖିବାକୁ ମିଳୁଛି । ଉଡାଣ ଭରୁଛନ୍ତି ଟ୍ୟାଙ୍କ ବିଧ୍ୱସ୍ତି କ୍ଷେପଣାସ୍ତ୍ର । ଏହା ସହିତ ଆପାଚି ହେଲିକପଟର ମଧ୍ୟ ଆକାଶରେ ଚକ୍କର ମାରୁଛନ୍ତି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ପରିସ୍ଥିତି କେତେ ଗମ୍ଭୀର ରହିଛି ।

ଠୁଳ ହେଉଛି ଭାରୀ ଯୁଦ୍ଧାସ୍ତ୍ର
ଆକାଶରେ ଉଡୁଛି ଆପାଚି

ଭାରତ ଯୁଦ୍ଧସ୍ତରରେ ସେନା ମୁତୟନ ଓ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରିବା ପ୍ରକ୍ରିୟା ଜାରି ରଖିଛି । ଏଥିସହ ଅଧିକ ସଂଖ୍ୟାରେ ଯୁଦ୍ଧ ବିମାନର ଉପସ୍ଥିତି ଯୋଗୁଁ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ଲେହ ଏୟାରବେସ ସମୁଦ୍ରପତନ ଠାରୁ ୧୦ହଜାର୬୦୦ ଫୁଟ ଉଚ୍ଚରେ ରହିଥିବାରୁ ସେଠାରେ ଆପାଚି ହେଲିକପ୍ଟର ମୁତୟନ କରାଯାଇଛି । ଗଲୱାନ ଘାଟିଠାରୁ ୫୦ କିଲୋମିଟର ଦୂରରେ ଆପାଚି ହେଲିକପଟର ଉଡିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଘାତକ ଏବଂ ଆଧୁନିକ ହେଲିକପଟର ହେଉଛି ଆପାଚି, ଯାହା ଭାରତ ଆମେରିକା ଠାରୁ କିଣିଛି ।

ବର୍ଡର ପାଟ୍ରୋଲିଂକୁ କଡାକଡି କରାଯାଇଛି । ସାଟେଲାଇଟ ଛବି ମାଧ୍ୟମରେ ସ୍ଥିତି ଉପରେ ୨୪ ଘଂଟା ନଜର ରଖାଯାଇଛି । ଚୀନ ସେନା ପକ୍ଷରୁ କୌଣସି ବିପଦର ମୁକାବିଲା କରିବା ପାଇଁ ତୟାର ରହିଛି ଭାରତୀୟ ସେନା । ସୀମାରେ ଭାରତ ସୁରକ୍ଷା ନୀତିକୁ ବଦଳାଇ ଲଢୁଆ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରଖିଛି । କୌଣସି ପରିସ୍ଥିତିରେ ଯଦି ଯୁଦ୍ଧ ଘୋଷଣା ହୁଏ, ତେବେ ଭାରତୀୟ ସେନା ସବୁ ପ୍ରକାର ସ୍ଥିତିର ସାହସର ସହ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି ।