୪୦ ସହିଦଙ୍କ ଜବାବ ୩୦୦ରେ ଦେଲା ଭାରତ: ପିଓକେରେ ପଶି ବହୁ ଆତଙ୍କୀ ଆଡ୍ଡାକୁ ଧ୍ୱଂସ ସହ ୨ଶହରୁ ୩୦୦ ଆତଙ୍କବାଦୀଙ୍କୁ କଲା ନିହତ

624

କନକ ବ୍ୟୁରୋ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି ।  ତେବେ ଭାରତୀୟ ବାୟୁସେନାର ଆକ୍ରମଣରେ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିବା ପାଖାପାଖି ୨ଶହରୁ ୩ଶହ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଆକ୍ରମଣରେ ଜେଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ ହୋଇଛି । ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡ୍କୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା । ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡରେ ହମଲା କରିଥିଲେ ଭାରତୀୟ ସେନା ।

ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟ୍ରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବମୋ ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ । ମିଳିଥିବା ସୂଚନା ଅନୁସାରେ, ଏହି ୩ଟି ଲଂଚ ପ୍ୟାଡ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିଲା । ଏଠାରେ ଜେଶ ଏ ମହମ୍ମଦ, ଲସ୍କରତୈବା ଓ  ମୁଜାହୁଦିନ୍ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଛି ।