୧୨ ମିରାଜ୍ ଫାଇଟରର ଆଟାକ୍ : ପାକିସ୍ତାନରେ ପଶି ଜୈସ ଏବଂ ଅନ୍ୟ ଆତଙ୍କୀ ଶିବିର ଉପରେ ଭାରତର ବୋମାବର୍ଷା, ଫଟୋରେ ଫଟୋରେ ଦେଖନ୍ତୁ ହଲମାର ପୂରା ଚିତ୍ର

1,745

ପାକିସ୍ତାନରେ ଆତଙ୍କୀ ଶିବିର ଉପରକୁ ଭାରତୀୟ ସେନାର ଆକ୍ରମଣ ନେଇ ଜଣାପଡିଛି । ଭାରତର ୧୨ ମିରାଜ୍ ୨୦୦୦ ଜେଟ୍ ପାକିସ୍ତାନରେ ୧୦୦୦ କିଲୋର ବୋମା ପକାଇଥିବା ସୂଚନା ମିଳିଛି । ତେବେ ଏଯାବତ୍ ଭାରତୀୟ ବାୟୁସେନା ତରଫରୁ ସେଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହି ।

ସୂତ୍ରକୁ ଆଧାର କରି କୁହାଯାଇପାରିବ କି, ମିରାଜ୍ ଫାଇଟର ଜେଟ ପାକିସ୍ତାନର ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିପକାଇଛି । ପାକିସ୍ତାନର ସେନା ନିଜେ ଏହାକୁ ସ୍ୱୀକାର କରିଛି ଏବଂ ଭାରତର ବିମାନ ସୀମାପାର କରି ପାକିସ୍ତାନ ସୀମାରେ ପ୍ରବେଶ କରିଛି ବୋଲି ଅଭିଯୋଗ ଆଣିଛି ।

ସୂଚନା ମୁତାବକ, ରାତି ପାଖାପାଖି ସାଢେ ୩ ଟା ବେଳେ ଭାରତୀୟ ଜେଟ୍ ପାକିସ୍ତାନରେ ପଶି ମୁହଁତୋଡ ଜବାବ ଦେଇଛି । ଜୈସ ଏବଂ ଅନ୍ୟ ଆତଙ୍କୀ ସଂଗଠନମାନଙ୍କର ଲଂଚ ପ୍ୟାଡକୁ ଟାର୍ଗେଟ କରାଯାଇଥିଲା । ପୁଲବାମା ଆକ୍ରମଣ ପରଠୁ ହିଁ ଭାରତ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନର ସଂକେତ ଦିଆଯାଉଥିଲା ।

ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ଦ୍ୱାରା ବହୁ କ୍ଷୟ କ୍ଷତି ହୋଇଛି ମାତ୍ର ଏହାର କୌଣସି ସଠିକ୍ ଆକଳନ ମିଳିପାରିନାହିଁ । କାଶ୍ମୀରର ଏଲଓସିରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏୟାରଫୋର୍ସ ବେସରେ ହାଇ ଏକ୍ଟିଭିଟି ନଜର ଆସିଛି ।

ପାକିସ୍ତାନୀ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଭାରତ ବିରୋଧରେ ଅଭିଯୋଗ ଆଣି ଟୁଇଟରେ କହିଛନ୍ତି, ଭାରତୀୟ ବାୟୁସେନା ମୁଜଫରାପୁର ସେକ୍ଟରରେ ପ୍ରବେଶ କରିବାକୁ ଉଦ୍ୟମ କରିଛି । ସେ ଲେଖିଛନ୍ତି, ପାକିସ୍ତାନୀ ସେନା ଦ୍ୱାରା ଠିକ ସମୟରେ ପ୍ରଭାବୀ ଜବାବ ଦିଆଯାଇଛି । ସେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ । ପାକିସ୍ତାନ ସୋମବାର ଏବଂ ମଙ୍ଗଳବାର ରାଜୌରୀ ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ କରିଛି ।