ଭାରତୀୟ ବାୟୁସେନାର ଶକ୍ତି ବଢିଲା । ହାତକୁ ଆସିଲା ପ୍ରଥମ ରାଫେଲ ଯୁଦ୍ଧବିମାନ

522

ଶତ୍ରୁଙ୍କୁ ସାବାଡ କରିବାକୁ ଭାରତରେ ପହଞ୍ଚିବ ପ୍ରଥମ ରାଫେଲ ଯୁଦ୍ଧବିମାନ । ଭାରତୀୟ ବାୟୁସେନା ଆଜି ପ୍ରଥମ ରାଫେଲ ବିମାନକୁ ଗ୍ରହଣ କରିଛି । ପ୍ୟାରିସରୁ ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ସଲ ଭିଆର ଚୌଧୁରୀ ଏହାକୁ ଗ୍ରହଣ କରିବା ସହ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି । ପ୍ରାୟ ଏକଘଣ୍ଟା ଧରି ରାଫେଲ ବିମାନକୁ ଉଡାଇବା ସହ ଏହାର ପରୀକ୍ଷା କରିଥିଲେ ବାୟୁସେନା ଉପମୁଖ୍ୟ । ତେବେ ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ । ଏହି ସମାରୋହ ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଗସ୍ତରେ ଯିବେ ।

ଏହି ବିମାନର ଟେଲ ନମ୍ବର ରହିଛି ଆରବି-୦୦୧ । ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ ଆରକେ ଭଦୁରିଆଙ୍କ ନାଁରେ ଏହି କୋଡ ନମ୍ବର ଦିଆଯାଇଛି । ଆରକେ ଭଦୁରିଆ ହିଁ ରାଫେଲ ଚୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।