ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ପଞ୍ଜିକରଣ?

268

କନକ ବ୍ୟୁରୋ : ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୁମ୍ବିତୋଫାନ ଜାରି ରହିଛି । ଆଉ ଏହାରି ଭିତରେ ଆଜି ବାୟୁସେନାରେ ଅଗ୍ନିବୀରବାୟୁ ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟ indianairforce.nic.in ରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ ।

ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଆଶାୟୀ ଯୁବକ agnipathvayu.cdac.in ଏହି ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ୱେବପୋର୍ଟାଲ ସକାଳ ୧୦ଟାରୁ ଖୋଲି ସାରିଲାଣି । ଆଉ ଆଶାୟୀ ଯୁବକ ମାନେ ନିଜର ତଥ୍ୟ ଦେଇ ପ୍ରଥମେ ରେଜିଷ୍ଟ୍ରେସନ କରିବେ ଓ ପରେ ଅନଲାଇନ ଫର୍ମ ଭରିବେ । ଫର୍ମ ଜମା କରିବା ପାଇଁ ୨୫୦ ଟଙ୍କା ଲେଖାଏଁ ଦେବାକୁ ପଡିବ ।

ଅଗ୍ନିବୀର ବାୟୁ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ସହ ପାସ୍ ହୋଇଥିବା ଆବଶ୍ୟକ କିମ୍ବା ୩ ବର୍ଷୀୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ଏବଂ ୨ ବର୍ଷୀୟ ଭୋକେସନାଲ ପାଠ୍ୟକ୍ରମରେ ପାସ୍ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ । ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କ ବୟସ ୧୭.୫ ବର୍ଷରୁ ଅଧିକ ହୋଇଥିବ ଏବଂ ୨୩ ବର୍ଷରୁ କମ ହୋଇଥିବା ଆବଶ୍ୟକ । ତେବେ ଅଧିକ ତଥ୍ୟ ଅଧିକାରୀକ ୱେବସାଇଟକୁ ଯାଇ ପୂରା ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ ।