ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଦେଶର ସାମାଜିକ ବ୍ୟବସ୍ଥାକୁ ବିଗାଡୁଛି ଫେସବୁକ, ପ୍ରଧାନମନ୍ତ୍ରୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି ଫେସବୁକର କର୍ମଚାରୀ ।

260

କନକ ବ୍ୟୁରୋ: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଫେସବୁକ ଦେଶର ସାମାଜିକ ବ୍ୟବସ୍ଥାକୁ ବିଗାଡୁଥିବା ନେଇ ଉଲ୍ଲେଖ କରି ଏହି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଫେସବୁକ ବ୍ୟବହାର କରି କେତେକ ଦଳ ଭାରତର ସାମାଜିକ ବ୍ୟବସ୍ଥାକୁ ବିଗାଡୁଥିବା ନେଇ କଡା ଭାଷାରେ ଚିଠି ଲେଖିଛନ୍ତି ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ତେବେ ଏନେଇ ଫେସବୁକ୍ କେବଳ ଦେଖାଇ ହେବା ପାଇଁ ନୁହେଁ ବରଂ ନିରପେକ୍ଷ ରହିବା ଉଚିତ ବୋଲି ଲେଖିଛନ୍ତି ରବିଶଙ୍କର । ଫେସବୁକର ଜଣେ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଥିବା ପ୍ରସଙ୍ଗ ମଧ୍ୟ ଏହି ଚିଠିରେ ଉଲ୍ଲେଖ ରହିଛି । ଆମେରିକାର ମର୍ଯ୍ୟାଦା ସଂପନ୍ନ ଦୈନିକ ଖବର କାଗଜ ‘ଦ ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଫେସବୁକ୍ର ହେଟ୍ ସ୍ପିଚ୍ ନିୟମ, ଭାରତୀୟ ରାଜନୀତି କ୍ଷେତ୍ରରେ ପାଳନ ହେଉନାହିଁ ।

ମୋଦିଙ୍କ ସରକାରକୁ ଫେସବୁକ୍ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ବୋଲି ଏହି ରିପୋର୍ଟରୁ ଜଣାପଡୁଛି ବୋଲି ଉଲ୍ଲେଖ ଥିଲା । ଯାହାକୁ ନେଇ ଭାରତୀୟ ରାଜନୀତିରେ ଚର୍ଚ୍ଚା ସରଗରମ ହୋଇଥିଲା । ଏହାରି ଭିତରେ ଫେସବୁକ ସିଇଓଙ୍କୁ ଚିଠି ଲେଖି ଫେସବୁକ ଦେଶର ସାମାଜିକ ବ୍ୟବସ୍ଥାକୁ ବିଗାଡୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।