ଦେଶରେ ଫାଇଭ୍-ଜି ନେଟୱର୍କ ପାଇଁ ଜୋରଦାର ପ୍ରସ୍ତୁତି: ହେଲେ, ଓଡିଶାର ହଜାର ହଜାର ଗାଁରେ ଲାଗୁନି ଫୋନ

114

କନକ ବ୍ୟୁରୋ: ଦେଶରେ ହାଇସ୍ପିଡ ୫-ଜି ନେଟୱାର୍କ ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ଟେଲି-କମ୍ୟୁନିକେସନର ଭିତିଭୂମି ସୁଦୃଢ କରିବା ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାରା ୫-ଜି ନେଟୱାର୍କ ପାଇଁ ଦେଶରେ ଫାଇବର ଅପଟିକାଲ୍ସ ବିଛା ଯିବା ସହ ପ୍ରାୟ ୮ଲକ୍ଷ ମୋବାଇଲ ଟାୱାର ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।

ଫାଇବ-ଜି ନେଟୱାର୍କ ଜରିଆରେ ଦେଶରେ ଡିଜିଟାଲ କ୍ରାନ୍ତି ଆସିବ, ସବୁ କାମ ସହଜ ହେବ । ଏ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଓଡିଶାର ଅନେକ ଅଂଚଳରେ ସ୍ଥିତି ଏହାର ଓଲଟା । ଗ୍ରାମାଂଚଳର ଲୋକେ ଏବେ ଟୁ-ଜି ନେଟୱାର୍କ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି ।

ଡିଜିଟାଲ କ୍ରାନ୍ତିର ସ୍ୱପ୍ନ ଦେଖୁଥିବା ଭାରତରେ ଏମାନେ ବି ରହୁଛନ୍ତି । ରାୟଗଡା ବ୍ଲକ ପିପିଲିଗୁଡା ପଂଚାୟତର ଏହି ଦୃଶ୍ୟ ଦର୍ଶାଉଛି, ଟୁଜି-ସେବା ପାଇଁ ଗାଁର ଯୁବପୀଢି ଧନ୍ଦି ହେଉଛନ୍ତି । ଅଂଚଳରେ ମୋବାଇଲ ଟାୱାର ନଥିବାରୁ ଅନଲାଇନ୍ କାମ ହୋଇପାରୁ ନାହିଁ, ଫୋନରେ କଥା ହେବା ବି ମୁସ୍କିଲ ହୋଇପଡୁଛି । ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ନେଟୱାର୍କ ଆସୁଛି, ସେଠାରେ ନାହିଁ ନଥିବା ଭିଡ ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନେଟୱାର୍କ ପାଇଁ ମୋବାଇଲ ଟାୱାର ସ୍ଥାପନ ଦାବିରେ ୬ଟି ପଂଚାୟତର ଲୋକେ ଭୋଟ ବର୍ଜନ କରିଛନ୍ତି । ଦେବଗଡ ଜିଲ୍ଲା ତିଲେଇବଣିର ୫ଟି ପଂଚାୟତ ଓ କନ୍ଧମାଳ ଜିଲ୍ଲାର ଅଡାସିପଡା ପଂଚାୟତରେ ନେଟୱର୍କ ନଥିବାରୁ ଏଥର ନିର୍ବାଚନରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟର ୬ହଜାର ୯୯ଟି ଗାଁରେ ରହିଛି ଏହି ମୋବାଇଲ ନେଟୱର୍କ ସମସ୍ୟା ।

ନେଟୱର୍କ ଦୁର୍ବଳ
– ରାଜ୍ୟର ୬ହଜାର ୯୯ଟି ଗାଁରେ ଲାଗୁନି ମୋବାଇଲ
– କନ୍ଧମାଳ ଜିଲ୍ଲାର ୧ହଜାର ୯୪ଟି ଗାଁରେ ନାହିଁ ମୋବାଇଲ ନେଟୱର୍କ
– ରାୟଗଡା ୯୬୬, କୋରାପୁଟର ୫୨୦ ଗାଁରେ ମୋବାଇଲ ସେବା ନାଁ୍କୁ ମାତ୍ର
– ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ମାତ୍ର ୩୪% ପିଲା ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି
– ଅର୍ଥାତ ୩୯ ଲକ୍ଷ ୬୦ହଜାର ପିଲା ପଢ଼ିପାରୁନାହାନ୍ତି ପାଠ
– ଟ୍ରାଇର ତଥ୍ୟ ଅନୁସାରେ ୧କୋଟି ଲୋକଙ୍କ ପାଖରେ ନାହିଁ ମୋବାଇଲ ଫୋନ୍

ଦେବଗଡର ତିଲେଇବଣିରେ ୫ଟି ପଂଚାୟତ ଭୋଟ ବର୍ଜନ କରିବା ପରେ ସେଠାରେ ମୋବାଇଲ ଟାୱାର ବସାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଏକ ଘରୋଇ କମ୍ପାନୀ ସହ ଆଲୋଚନା କରିଛି ସ୍ଥାନୀୟ ପ୍ରଶାସନ । ତଥ୍ୟ ଅନୁସାରେ ରାଜ୍ୟରେ ସ୍ମାର୍ଟ ଫୋନ, ମୋବାଇଲ ଟାୱାର ଏବଂ ଇଂଟରନେଟ ଭିତିଭୁମିର ଅଭାବ ରହିଛି । ଯେଉଁଠି ଟୁ-ଜି ସେବା ଠିକ୍ ଭାବେ ମିଳୁନାହିଁ, ସେଠାରେ ଫାଇଭ୍-ଜି ସେବା, ପରୀ କାହାଣୀ ଭଳି ହୋଇଛି ।