କନକ ବ୍ୟୁରୋ : ଆସନ୍ତା ବର୍ଷ ଏସିଆ କପ୍ । ପାକିସ୍ତାନରେ ଅନୁଷ୍ଠିତ ହେବ ଏହି ମ୍ୟାଚ । କିନ୍ତୁ ଭାରତୀୟ ଦଳ ପାକିସ୍ତାନରେ ମ୍ୟାଚ ହେଲେ ଅଂଶଗ୍ରହଣ କରିବନି । ବିସିସିଆଇ ସମ୍ପାଦକ ତଥା ଏସୀୟ କ୍ରିକେଟ ପରିଷଦର ସଭାପତି ଜୟ ଶାହ ଏହା କହିଛନ୍ତି । ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି ବିଷୟରେ ଆଲୋଚନା ହୋଇଥିଲା । ଭାରତୀୟ ଦଳ ପାକିସ୍ତାନ ଖେଳିବାକୁ ଯିବ ନାହିଁ ବୋଲି ଜୟ ଶାହ କହିଥିଲେ । ଏହାକୁ ନେଇ ପାକିସ୍ତାନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି ।

Advertisment

ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସେ, ତାହେଲେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍କୁ ପାକିସ୍ତାନ ବର୍ଜନ କରିବ ବୋଲି ଧମକ ଦେଇଛି । ପିସିବି ଅଧ୍ୟକ୍ଷ ରମିଜ ରାଜା ଏପରି ରଣନୀତି ଆପଣାଇବାକୁ ସ୍ଥିର କରିଛନ୍ତି । ତେବେ ଭାରତ ଯଦି ଏସିଆ କପ୍ ନଖେଳିବାକୁ ପାକିସ୍ତାନ ନଯାଏ ତାହେଲେ ନିରପେକ୍ଷ ଗ୍ରାଉଣ୍ଡ ଭାବେ ପୁଣି ଥରେ ୟୁଏଇରେ ମ୍ୟାଚ ଆୟୋଜିତ ହେବାର ସମ୍ଭାବନା ରହିଛି । ଏଥିପୂର୍ବରୁ ୨୦୨୨ ସଂସ୍କରଣର ଏସିଆ କପ୍ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିଲା, କିନ୍ତୁ ବିଭନ୍ନ କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

ପାକିସ୍ତାନରେ ଏସିଆ କପ୍‌ ନଖେଳିବା ପାଇଁ ବିସିସିଆଇର ନିଷ୍ପତ୍ତି ନେବା ପରେ ପାକିସ୍ତାନ ମଧ୍ୟ ଏହାର ପାଲଟା ଜବାବ ରଖିଛି । ଯଦି ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନଆସେ, ତାହେଲେ ଆସନ୍ତା ବର୍ଷ ଭାରତରେ ହେବାକୁଥିବା ଦିନିକିଆ ବିଶ୍ବକପ୍‌କୁ ପାକିସ୍ତାନ ବର୍ଜନ କରିବ ବୋଲି ଧମକ ଦେଇଛି । ମଙ୍ଗଳବାର ବିସିସିଆଇ ସମ୍ପାଦକ ତଥା ଏସିଆ କ୍ରିକେଟ୍‌ ପରିଷଦ ସଭାପତି ଜୟ ଶାହଙ୍କ ପାକିସ୍ତାନ ନଯିବା ମନ୍ତବ୍ୟ ପରେ ପିସିବି ଅଧ୍ୟକ୍ଷ ରମିଜ ରାଜା କଠୋର ନୀତି ଆପଣାଇବାକୁ ସ୍ଥିର କରିଛନ୍ତି । ଯଦି ପାକିସ୍ତାନ ଦିନିକିଆ ବିଶ୍ବକପ୍‌କୁ ବର୍ଜନ କରେ, ତାହେଲେ ଆଇସିସି ଓ ଏସିସି ବ୍ୟାବସାୟିକ କ୍ଷେତ୍ରରେ କ୍ଷତି ସହିବ ।

ବିଶ୍ବ କ୍ରିକେଟ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯଦିଓ ଏକାଧିକ ଥର ମ୍ୟାଚ୍‌ ଖେଳାଯାଇଛି, କିନ୍ତୁ ପରସ୍ପର ଦେଶକୁ ଯାଇ ଖେଳିବା ୨୦୦୮ ପରଠାରୁ ବନ୍ଦ ରହିଛି । ଶେଷ ଥର ପାଇଁ ପାକିସ୍ତାନରେ ଖେଳାଯାଇଥିବା ୨୦୦୮ ଏସିଆ କପ୍‌ରେ ଭାରତ ଅଂଶଗ୍ରହଣ କରିଥିଲା । ସେହିପରି ପାକିସ୍ତାନ ମଧ୍ୟ ଶେଷ ଥର ପାଇଁ ୨୦୧୨ରେ ଦ୍ବିପାକ୍ଷିକ ଶୃଙ୍ଖଳା ‌ଖେଳିବାକୁ ଭାରତ ଆସିଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ନଭେମ୍ବରରେ ମେଲବର୍ଣ୍ଣରେ ହେବାକୁଥିବା ଆଇସିସି ବୋର୍ଡ ବୈଠକରେ ଆଲୋଚନା କରାଯିବ ବୋଲି ପିସିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।