ବର୍ମିଂହାମରେ ବାଂଲାଦେଶକୁ ମାତ୍ ଦେବା ପାଇଁ ବିରାଟ ବାହିନୀର ରଣନୀତି ପ୍ରସ୍ତୁତ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ ।

100

କନକ ବ୍ୟୁରୋ : ଆଇସିସି ବିଶ୍ୱକପ କ୍ରିକେଟରେ ଆଜି ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବିରାଟ ବାହିନୀ । ଭାରତ ଅପେକ୍ଷା ବାଂଲାଦେଶ ପାଇଁ ଏହି ମୁକାବିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ହାରିଲେ ବାଂଲାଦେଶ ସେମିଫାଇନାଲରେ ପହଂଚିବା ଆଶା ମଉଳିଯିବ । ତେଣୁ ବାଂଲାଦେଶ ପାଇଁ ଏହି ମ୍ୟାଚ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହିଁବ । ଭାରତ ଏଯାଏଁ ୭ଟି ମ୍ୟାଚରୁ ୧୧ ପଏଂଟ ହାସଲ କରିବା ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଏବଂ ଏହି ମ୍ୟାଚ ଜିତିଲେ ସେମିଫାଇନାଲରେ ଖେଳିବା ସୁନିଶ୍ଚିତ ହୋଇଯିବ । ଇଂଲଣ୍ଡ ଠାରୁ ୩୧ ରନରେ ହାରିବା ପରେ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ବିଶେଷ କରି ଶେଷ ୧୦ଓଭରରେ କେଦାର ଯାଦବ ଏବଂ ଫିନିସର ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା । କାରଣ ଶେଷ ୫ଓଭରରେ ମାତ୍ର ୩୯ରନ ସଂଗ୍ରହ କରିଥିଲା ଏହି ଯୋଡି । ଉଭୟ ଖେଳାଳି କୌଣସି ବଡ ସଟ୍ ଖେଳିନଥିଲେ ।

ଏପରି ସ୍ଥିତିରେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ବିଶ୍ୱକପରେ ଏଯାଏ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୨ଟିରେ ଏବଂ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛନ୍ତି । ୨୦୦୭ରେ ବାଂଲାଦେଶ ଜିତିଥିବା ବେଳେ ୨୦୧୧ ଏବଂ ୨୦୧୫ରେ ଭାରତ ଜିତିଥିଲା । ତେବେ ଚଳିତ ବିଶ୍ୱକପର ଅଭ୍ୟାସ ମ୍ୟାଚରେ ମଧ୍ୟ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ବାଂଲାଦେଶକୁ ପରାସ୍ତ କରିଥିଲା । ତେବେ ଆଜି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱ ରଖୁଥିବାରୁ ଏକ ରୋମାଞ୍ଚକର ଲଢେଇ ହେବ ନେଇ ଆଶା କରାଯାଉଛି ।