ଓଭାଲରେ ୫୦ ବର୍ଷ ପରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ୧୯୭୧ରେ ଜିତିଥିଲା ଶେଷ ମ୍ୟାଚ୍…

142

କନକ ବ୍ୟୁରୋ: ଓଭାଲରେ ଦମଦାର ବିଜୟ ସହ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ଓଭାଲରେ ଦଳ ଦୀର୍ଘ ୫୦ ବର୍ଷ ପରେ ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ଶେଷ ଥର ୧୯୭୧ ମସିହାରେ ଟିମ୍ ଇଣ୍ଡିଆରେ ଓଭାଲରେ ବିଜୟ ହାସଲ କରିଥିଲା । ଆଉ ଏହାର ପ୍ରାୟ ୫୦ ବର୍ଷ ପରେ ଦଳ ଇଂଲଣ୍ଡର ଓଭାଲରେ ବିଜୟର ସ୍ୱାଦ ଚାଖିଛି । ଏଥିସହିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦଳ ଏବେ ୨-୧ରେ ଆଗୁଆ ଅଛି ।

ଟିମ୍ ଇଣ୍ଡିଆ ଓଭାଲରେ ୧୯୩୬ରୁ ୨୦୧୮ ମଧ୍ୟରେ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ଦଳ ୫ଟି ମ୍ୟାଚରେ ହାରିଥିବାବେଳେ ୭ଟି ମ୍ୟାଚ୍ ଡ୍ର ରହିଥିଲା । ତେବେ ୧୯୭୧ ମସିହାରେ ଦଳ ଓଭାଲରେ ଶେଷ ଥର ପାଇଁ ମ୍ୟାଚ୍ ଜିତିଥିଲା । ଆଉ ଆଜିର ମ୍ୟାଚରେ ବିରାଟ ବାହିନୀ ଏହି ରେକର୍ଡକୁ ଭାଙ୍ଗିବା ସହିତ ନୂଆ ଏକ ଇତିହାସ ରଚିଛି ।

ଏହି ମ୍ୟାଚର ଆରମ୍ଭରେ ଭାରତୀୟ ଦଳ ପ୍ରଥମରୁ ବ୍ୟାକଫୁଟରେ ଥିଲା । ପ୍ରଥମ ଇଂନିସରେ ଦଳ ମାତ୍ର ୧୯୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଇଂଲଣ୍ଡ ଦଳ ନିଜର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ହରାଇ ପ୍ରଥମ ଇଂନିସରେ ୨୯୦ ରନ୍ କରିବା ସହିତ ଏକ ବଡ୍ ଲିଡ୍ ନେଇଥିଲା । ହେଲେ ଦ୍ୱିତୀୟ ଇଂନିସରେ ଟିମ୍ ଇଣ୍ଡିଆ ଲୟକୁ ଫେରିବା ସହିତ ୪୬୬ ରନ୍ କରିଥିଲା । ଜବାବରେ ବିଜୟର ପିଛା କରୁ କରୁ ଇଂଲଣ୍ଡ ଦ୍ୱିତୀୟ ଇଂନିସରେ ମାତ୍ର ୨୧୦ ରନ୍ କରିବାକୁ  ସକ୍ଷମ ହୋଇଥିଲା । ଆଉ ୫୦ ବର୍ଷ ପରେ ଓଭାଲରେ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ ।