କ୍ରିକେଟରେ ଭାରତକୁ ଆଉ ଏକ ମୁକୁଟ । ଲିଜେଣ୍ଡ ଚାମ୍ପିୟନସିପ ଟାଇଟଲ ଜିତିଲା ଭାରତ 

2,680

କନକ ବ୍ୟୁରୋ : ପାକିସ୍ତାନକୁ ହରାଇ ଭାରତ ଲିଜେଣ୍ଡ ଚାମ୍ପିୟନସିପ ଟାଇଟଲ ଜିତିଛି । ପୂର୍ବତନ କ୍ରିକେଟ ଖେଳାଳିଙ୍କୁ ନେଇ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା । ଫାଇନାଲରେ ଦୁଇ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ କ୍ୟାପଟେନ୍ ୟୁନିସ୍ ଖାନ୍‌ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୫୬ ରନ୍ କରିଥିଲା । ଜବାବରେ ଭାରତ ୧୯ ଦଶମିକ ୧ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତିନେଇଥିଲା । ବ୍ରିଟେନର ବର୍ମିଂହାମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଭାରତ ପକ୍ଷରୁ ଅମ୍ବାତି ରାଇଡୁ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୩୦ ବଲରୁ ୫୦ ରନ୍ କରିଥିଲେ ।  ଗୁରକ୍ରିତ ସିଂ ମାନ୍ ୩୪ ରନ୍ କରିଥିଲେ ।

ସେହିପରି ୟୁସୁଫ ପଠାନ ନିଜ ଶୈଳିରେ ମାତ୍ର ୧୬ ବଲରୁ ଦର୍ଶନୀୟ ସଟ୍ ମାରି ୩୦ ରନର ଇନିଙ୍ଗସ୍ ଖେଳିଥିଲେ । ଅଧିନାୟକ ଯୁବରାଜ ସିଂ ଓ ଇରଫାନ ପଠାନ ଅପରାଜିତ ରହିଥିଲେ । ତେବେ ଇରଫାନ ପଠାନ୍ ଛକା ମାରି ଭାରତକୁ ବିଜୟୀ କରାଇଥିଲେ । ପ୍ରଥମ ଥର ପାଇଁ ଲିଜେଣ୍ଡ ଚାମ୍ପିୟନସିପ ଆୟୋଜିତ ହୋଇଥିବା ବେଳେ ଟ୍ରଫି ଭାରତୀୟ ଭେଟେରାନମାନେ ହାତେଇନେଇଛନ୍ତି ।