କନକ ବ୍ୟୁରୋ : ଟେଷ୍ଟ କ୍ରିକେଟ ଇତିହାସରେ ଆଜିର ଦିନ ଭାରତ ପାଇଁ ସବୁଠାରୁ ସ୍ମରଣୀୟ ଦିନ । ଆଜିର ଦିନ ଭାରତ ଟେଷ୍ଟ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପି ବଦ୍ଧ ହୋଇ ରହିଛି । କାରଣ ଆଜିର ଦିନରେ ଅର୍ଥାତ ୧୯୫୨ ମସିହା ଫେବୃଆରୀ ୧୦ ତାରିଖରେ ଭାରତ ଜିତିଥିଲା ପ୍ରଥମ ଟେଷ୍ଟ ମ୍ୟାଚ । ଏହି ସଫଳତା ପାଇବା ପାଇଁ ଭାରତକୁ ଅପେକ୍ଷା କରିବାକୁ ପଡିଥିଲା ଦୀର୍ଘ ୨୦ ବର୍ଷ । ଏହି ଦିନ ଥିଲା ଭାରତ ପାଇଁ ଅତି ଖୁସିର ମୁହୂର୍ତ୍ତ  । ଆଉ ଏହି ମ୍ୟାଚର ହିରୋ ଥିଲେ ଭିନୋ ମଙ୍କଡ । କୁହାଯାଏ ଭିନୋ ମଙ୍କଡଙ୍କ ପ୍ରଦର୍ଶନ ହିଁ ଭାରତକୁ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବାର ସ୍ୱାଦ ଦେଇଥିଲା ।

Advertisment

୧୯୩୨ ମସିହାରେ ଭାରତରେ ଟେଷ୍ଟ କ୍ରିକେଟ ଜନ୍ମ ହୋଇଥିଲା । ଏହି ଦିନ ଭାରତ ନିଜ କ୍ରିକେଟ ଟିମ ଗଠନ କରିଥିଲା । ଆଉ ଭାରତ ତାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳଥିଲା ଇଂଲଣ୍ଡ ବିପକ୍ଷରେ । ଏହି ମ୍ୟାଚ ଜରିଆରେ ଭାରତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲା । ଏହି ଭାରତୀୟ ଟିମର କ୍ୟାପଟେନ ଥିଲେ ସିକେ ନାଇଡୁ । ହେଲେ ଟିମ ଇଣ୍ଡିଆ ଏହି ମ୍ୟାଚରେ ପରାଜୟ ହୋଇଥିଲା । ସେବେଠାରୁ ଦୀର୍ଘ ୨୦ ବର୍ଷ ଯାଏଁ ଭାରତ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇପାରିନଥିଲା । ହେଲେ ଏମିତି ଏକ ସମୟ ଆସିଲା ଯେଉଁଦିନକୁ ଭାରତ କେବେ ବି ଭୁଲି ପାରିବନି ।

ସ୍ଥାନ ଥିଲା ଚେନ୍ନାଇର ଚେମ୍ପକ ଷ୍ଟାଡିୟମ । ଆଉ ସାମ୍ନାରେ ଥିଲା ଇଂଲଣ୍ଡ ଦଳ । ୧୯୫୨ ମସିହା ଫେବୃଆରୀ ୬ ତାରିଖରେ ଆରମ୍ଭ ହୋଇଥିଲା ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ । ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ସମସ୍ତ ମ୍ୟାଚରେ ପରାଜିତ ହୋଇ ସାରିଥିଲା । ତେଣୁ ଏହି ମ୍ୟାଚରେ ଇଂଲଣ୍ଡର ପଲା ଭାରି ରହିଥିଲା । ହେଲେ କେହି ଭାବିନଥିଲେ ଭାରତ ସେହିଦିନ ତାର ପ୍ରଥମ ଟେଷ୍ଟ ମ୍ୟାଚ ଜିତିବ ବୋଲି ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଡିକ ସ୍ପୋନର ଓ ଜ୍ୟାକ ରୋବର୍ଡସନଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୨୬୬ ରନ କରିବାରେ ସକ୍ଷମ ହୋଇଥିଲା । କାରଣ ଇଂଲଣ୍ଡର ଅନ୍ୟ କେହି ବ୍ୟାଟ୍ସମ୍ୟାନ ଭିନୋ ମଙ୍କଡଙ୍କ ଆଗରେ ତିଷ୍ଠି ପାରିନଥିଲେ । ଏହି ଇଂନିସରେ ମଙ୍କଡ ଏକାକୀ ୮ ୱିକେଟ ନେଇଥିଲା ।

ଏହି ଟେଷ୍ଟରେ ଭାରତ ତାର ପ୍ରଥମ ଇଂନିସରେ ଏକ ଅବିଶ୍ୱସନୀୟ ପାଳି ଖେଳିଥିଲା, ଯାହା ସାରା ବିଶ୍ୱ ଦେଖିଥିଲା । ପଙ୍କଜ ରଏ ଓ ପୋଲି ଉମ୍ରିଗାରଙ୍କ ଶତକୀୟ ପାଳିରେ ଭାରତ ୪୫୭ ରନ କରିଥିଲା । ଏହାପରେ ଫେବୃଆରୀ ୧୦ ତାରିଖରେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା । ହେଲେ ଏଥର ବି ଭାରତୀୟ ବୋଲରଙ୍କ ଆଗରେ ବିଫଳ ହୋଇଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ଫଳରେ ୧୮୩ ରନରେ ଇଂଲଣ୍ଡ ଦଳ ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ଭାରତ ଗୋଟିଏ ଇଂନିସ ଓ ୮ ରନରେ ବିଜୟୀ ହୋଇଥିଲା । ଏହି ଇଂନିସରେ ବି ଭିନୋ ମଙ୍କଡ ୪ଟି ୱିକେଟ ନେଇଥିଲେ । ଏହାସହ ଏହି ମ୍ୟାଚରେ ସେ ମୋଟ ୧୨ଟି ୱିକେଟ ନେଇ ଭାରତକୁ ପ୍ରଥମ ଟେଷ୍ଟ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହିଭଳି ଭାବରେ ଭାରତ ତାର ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା । ଆଉ ସେବେଠାରୁ ଆଜି ଯାଏଁ ଭାରତୀୟ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଏହି ୭୦ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଟିମ ଅନେକ ଉତଥାନ ପତନ ମଧ୍ୟ ଦେଖିଛି । ଏ ସବୁ ପରେ ଆଜି ସାରା ବିଶ୍ୱରେ ଭାରତ ଏକ ଶକ୍ତିଶାଳୀ କ୍ରିକେଟ ଟିମ ଭାବରେ ଛିଡା ହୋଇଛି ।