ବୁମରାଙ୍କ ପ୍ରତ୍ୟାବର୍ତନର ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ଡିଏଲରେ ଜିତିଲା ଭାରତ

182

କନକ ବ୍ୟୁରୋ : ଆୟରଲ୍ୟାଣ୍ଡ ଗସ୍ତରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଡବଲିନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ଦଳକୁ ଡିଏଲ୍ ପଦ୍ଧତିରେ ୨ ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ୨୦ ଓଭରରେ ୭ ୱିକେଟ୍ ହରାଇ କରିଥିଲା ୧୩୯ ରନ୍ । ଦଳ ୫୯ ରନ୍ ଭିତରେ ୬ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ।

ତେବେ ବ୍ୟାରୀ ମ୍ୟାକକାର୍ଥିଙ୍କ ଅର୍ଦ୍ଧଶତକ ଓ କର୍ଟିସ କ୍ୟାମ୍ପରଙ୍କ ଉପଯୋଗୀ ରନ୍ ବଳରେ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା ଆଇରିସ୍ ଟିମ୍ । ମ୍ୟାକକାର୍ଥି ୩୩ ବଲରେ ୫୧ ଓ କ୍ୟାମ୍ପର ୩୯ ରନ୍ କରିଥିଲେ । ଭାରତ ପକ୍ଷରୁ ପ୍ରତ୍ୟାବର୍ତନ ମ୍ୟାଚରେ ଯଶପ୍ରୀତ ବୁମରା ୨ଟି, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଭାରତ ୬ ଦଶମିକ ୫ ଓଭରରେ ୨ ୱିକେଟ୍ ହରାଇ ୪୭ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ତେବେ ଡିଏଲ୍ ପଦ୍ଧତିରେ ୨ ରନରେ ଆଗୁଆ ଥିବାରୁ ଭାରତ ବିଜୟୀ ହୋଇଥିଲା । ଭାରତ ଅଧିନାୟକ ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।