କନକ ବ୍ୟୁରୋ: ଧୋନୀ, ଗମ୍ଭୀର, ଯୁବରାଜ, ଯୋଗୀନ୍ଦର, ୟୁସୁଫ, ଇରଫାନ, ଶ୍ରୀସାନ୍ଥ, ହରଭଜନ । ଏହି ସବୁ ନାଁ ଶୁଣିଲେ ମନେ ପଡିଯାଏ ସେହି ପୁରୁଣା ଦିନର କ୍ରିକେଟ କଥା । ବିଶ୍ୱ କ୍ରିକେଟରେ ଏହି ସବୁ ନାଁ ଯେତେବେଳେ ନୂଆ ଥିଲା, ସେତେବେଳେ ଏହି କ୍ରିକେଟରମାନେ ରଚିଥିଲେ ଇତିହାସ । ଧୋନୀଙ୍କ ନେତୃତ୍ୱାଧୀନ ଏହି ଟିମ ପିନ୍ଧିଥିଲା ଟି-୨୦ ବିଶ୍ୱକପର ପ୍ରଥମ ତାଜ୍ । ଆଜ୍ଞା ହଁ ଆମେ କହୁଛୁ ୨୦୦୭ ଟି-୨୦ ବିଶ୍ୱକପ କଥା । ଯେବେ ପାକିସ୍ତାନକୁ ଧୂଳି ଚଟାଇ ଧୋନୀଙ୍କ ଧୁରନ୍ଧର ହାତେଇଥିଲେ ବିଶ୍ୱକପ ।

Advertisment

୨୦୦୭ ମସିହା, ସେପ୍ଟେମ୍ବର ୨୪ ତାରିଖ । ଆଜିର ଦିନ ଭାରତୀୟ କ୍ରିକେଟ ଇତିହାସ ପାଇଁ ସବୁଠାରୁ ବଡ ଦିନ । କାରଣ ଆଜିର ଦିନରେ ବିଶ୍ୱ ବିଜୟୀ ବନିଥିଲା ଟିମ ଇଣ୍ଡିଆ । ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ମାତ ଦେଇ ପ୍ରଥମ ଟି-୨୦ ବିଶ୍ୱକପ ହାତେଇଥିଲା ଭାରତ । ଆଜିର ଏହି ଦିନକୁ କେବେ କେହି ବି ଭାରତୀୟ ଭୁଲି ପାରିବେନି । ତେବେ ଚାଲନ୍ତୁ ଫେରିଯିବା ସେହି ଐତିହାସିକ ମ୍ୟାଚ ଦିନକୁ । ଆଉ ମନେ ପକାଇବା ସେଦିନର ସ୍ମୃତିକୁ ।

୨୦୦୭ ମସିହାରେ ଟି-୨୦ ବିଶ୍ୱକପ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଆଇସିସି । ଆଉ ଏଥିପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଥିଲା । ବରିଷ୍ଠ ଖେଳାଳିଙ୍କ ବଦଳରେ ଯୁବ ଖେଳାଳିଙ୍କୁ ନେଇ ଗଠନ ହୋଇଥିଲା ଦଳ ଯାହାର ନେତୃତ୍ୱ ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେପ୍ଟେମ୍ବର ୧୧ରେ ଆରମ୍ଭ ହୋଇଥିଲା ଟି-୨୦ ବିଶ୍ୱକପ ଅଭିଯାନ । ଆଉ ସେପ୍ଟେମ୍ବର ୨୪ରେ ହୋଇଥିଲା ଫାଇନାଲ ମ୍ୟାଚ । ଆଉ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି । ଯେଉଁ ମ୍ୟାଚକୁ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି ସାରା ବିଶ୍ୱବାସୀ ।

ଫାଇନାଲ ମ୍ୟାଚ ପାଇଁ ଟସ ପଡିଥିଲା ଆଉ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଭାରତ ପକ୍ଷରୁ ଗମ୍ଭୀର ଓ ୟୁସୁଫ ପାଳି ଆରମ୍ଭ କରିଥିଲେ । ୟୁସୁଫ ଶୀଘ୍ର ପାଭିଲିୟନ ଫେରିଯାଇଥିଲା ବେଳେ ଗମ୍ଭୀର କିନ୍ତୁ ହାର ମାନିନଥିଲେ । ଗୋଟିଏ ପଟେ ୱିକେଟର ପତନ ଘଟୁଥିଲା ବେଳେ ଗମ୍ଭୀର ଧୈର୍ଯ୍ୟର ସହ ପାଳି ସମ୍ଭାଳିଥିଲେ । ଆଉ ୭୫ ରନର ଦମଦାର ପାଳି ଖେଳିଥିଲେ । ଆଉ ତାଙ୍କ ସାଥ ଦେଇଥିଲେ ରୋହିତ ଶର୍ମା । ରୋହିତ ଏହି ମ୍ୟାଚରେ ୩୦ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୫୭ ରନ କରିବାରେ ସଫଳ ହୋଇଥିଲା ।

ହେଲେ ପାକିସ୍ତାନ ଭଳି ଟିମ ପାଇଁ ୧୫୮ ରନର ଟାର୍ଗେଟ ବେଶୀ ବଡ ବି ନଥିଲା । ମିସବା ଉଲ-ହକ, ଇମ୍ରାନ ନାଜିର ଓ ୟୁନିସ ଖାନଙ୍କ ପାଳି ଟିମ ଇଣ୍ଡିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ହେଲେ ଦୁର୍ଦ୍ଦଶ ଭାରତୀୟ ବୋଲରଙ୍କ ଆଗରେ ସେମାନେ ବେଶି ସମୟ ତିଷ୍ଠି ପାରିନଥିଲେ । ଏହି ମ୍ୟାଚ ଶେଷ ଓଭର ଯାଏଁ ପହଞ୍ଚି ଥିଲା । ରୋମାଞ୍ଚକର ଏହି ମ୍ୟାଚରେ ଶେଷ ଓଭରରେ ପାକିସ୍ତାନ ପାଇଁ ଜିତିବାକୁ ଥାଏ ମାତ୍ର ୧୩ ରନ । ଆଉ ପାକିସ୍ତାନର ୯ ୱିକେଟ ପଡିସାରିଥିଲା । ବୋଲିଂ କରୁଥାନ୍ତି ଯୋଗୀନ୍ଦର ଆଉ ଷ୍ଟ୍ରାଇକରେ ଥାନ୍ତି ମିସବା ଉଲହକ । କଣ ହେବ ମ୍ୟାଚ କେହି କିଛି ଭାବି ପାରୁନଥିଲେ । କାରଣ ସାମ୍ନାରେ ଥାନ୍ତି ସେଟ୍ ବ୍ୟାଟ୍ସମ୍ୟାନ ମିସବା ଉଲ-ହକ । ଯୋଗୀନ୍ଦରଙ୍କ ଏକ ବଲକୁ ପଛ ପଟକୁ ଛକା ମାରିବାକୁ ପ୍ରୟାସ କରିଥିଲେ ମିସବା ହେଲେ ଶ୍ରୀସାନ୍ଥଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ଆଉ ବିଜୟୀ ହୋଇଥିଲା ଭାରତ । ଟି-୨୦ ବିଶ୍ୱକପର ପ୍ରଥମ ଟ୍ରଫି ଜିତି ଇତିହାସ ରଚିଥିଲା ଟିମ ଇଣ୍ଡିଆ ।