ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍ ; ରୋମାଞ୍ଚକର ସ୍ଥିତିରେ ସୁପର ଓଭରରେ ବିଜୟୀ ହେଲା ଭାରତ

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍ ; ରୋମାଞ୍ଚକର ସ୍ଥିତିରେ ସୁପର ଓଭରରେ ବିଜୟୀ ହେଲା ଭାରତ

କନକ ବ୍ୟୁରୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ ପଲ୍ଲେକେଲର ପଲ୍ଲେକେଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ସାରିଥିବାରୁ ଟିମ୍ ଇଣ୍ଡିଆ ଏହି ସିରିଜ୍ ଜିତି ସାରିଥିଲା। ଶେଷ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା ଏବଂ ମ୍ୟାଚର ଫଳାଫଳ ସୁପର ଓଭରରୁ ବାହାରିଥିଲା। ଯେଉଁଠାରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି।

ଏହି ମ୍ୟାଚରେ ମ୍ୟାନ୍ ଇନ୍ ବ୍ଲୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। କିନ୍ତୁ ଟିମ୍ ଇଣ୍ଡିଆର ଆରମ୍ଭ ବହୁତ ଖରାପ ଥିଲା। ଦ୍ୱିତୀୟ ଓଭରରେ ୧୦ ରନ୍ କରି ଯଶସ୍ୱୀ ଜୟସ୍ୱାଲ ୱିକେଟ୍ ହରାଇଥିଲେ। ଏହାପରେ ସଞ୍ଜୁ ସାମସନ୍ ପୁଣି ଥରେ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ରିଙ୍କୁ ସିଂହଙ୍କୁ ଦଳ ପକ୍ଷରୁ ବଡ଼ ସୁଯୋଗ ଦିଆଯାଇଥିଲା। ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ସେ ୨ ବଲ୍ ରେ ୧ ରନ୍ କରି ଏହି ସୁଯୋଗ ହାତଛଡ଼ା କରିଥିଲେ। ଏଥିସହ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ମଧ୍ୟ ୮ ରନ୍ କରିଥିଲେ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳୁଥିବା ଶିବମ୍ ଦୁବେ ମଧ୍ୟ ୧୩ ରନ୍ ର ଯୋଗଦାନ ଦେଇଥିଲେ, ଯେଉଁଥିପାଇଁ ଭାରତୀୟ ଦଳର ଅଧା ଖେଳାଳି ୪୮ ରନ୍ କରି ପାଭିଲିୟନ୍ ଫେରିଥିଲେ। ତେବେ ଶୁଭମନ ଗିଲ ଏହି ମ୍ୟାଚରେ ଦଳର ଇନିଂସକୁ ସମ୍ଭାଳିଥିଲେ । ସେ ୩୭ ବଲ୍ ରୁ ୩୯ ରନ୍ କରିଥିଲେ। ଆଉଟ୍ ହେବା ବେଳକୁ ଦଳର ସ୍କୋର ୧୦୦ ରନ୍ ରେ ପହଞ୍ଚି ସାରିଥିଲା। ଏହାପରେ ରିଆନ ପରାଗ ୨୬ ଓ ୱାଶିଂଟନ ସୁନ୍ଦର ୨୫ ରନ୍ କରିଥିଲେ।

ଭାରତୀୟ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ପକ୍ଷରୁ ମହେଶ ଥିକ୍ସନା ୩ଟି ୱିକେଟ୍ ନେଇଥିଲେ। ୱାନିନ୍ଦୁ ହସରଙ୍ଗା ମଧ୍ୟ ୨ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ୧୩୮ ରନ୍ ର ଟାର୍ଗେଟ୍ ର ଜବାବରେ ଶ୍ରୀଲଙ୍କା ଖେଳାଳିମାନେ ଭଲ ଆରମ୍ଭ କରିଥିଲେ। କିନ୍ତୁ ମ୍ୟାଚ ସୁପର ଓଭରକୁ ଯାଇଥିଲା । ଭାରତ ପାଇଁ ସୁପର ଓଭରରେ ଓ୍ଵାସିଂଟନ ସୁନ୍ଦର ବୋଲିଂ କରିଥିବା ବେଳେ ସୁପର ଓଭରରେ ମାତ୍ର ୩ଟି ବଲ୍ ବୋଲିଂ କରି ୨ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୩ ରନ୍ ଟାର୍ଗେଟ ମିଳିଥିଲା। ଭାରତ ତରଫରୁ ସୂର୍ୟ୍ୟ କୁମାର ଯାଦବ ପ୍ରଥମ ବଲରେ ଚୌକା ମାରି ଦଳକୁ ଜିତାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe