ଭାରତର ଧୂଆଁଧାର ବ୍ୟାଟିଂ । ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ଶ୍ରୀଲଙ୍କାକୁ ମାତ୍ ଦେଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ ।

160

କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରୋହିତ ବାହିନୀ । ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇବା ସହ ସିରିଜ୍ କବଜା କରିଛି ଭାରତ ।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୮୩ ରନ୍ ସଂଗ୍ରହ କରିଥିଲା ଶ୍ରୀଲଙ୍କା । ଦଳ ପକ୍ଷରୁ ପାଥୁମ୍ ନିଶାଙ୍କ ୭୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଜସପ୍ରିତ୍ ବୁମରା, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୪ରନର ବିଜୟଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଦଳକୁ ପ୍ରଥମରୁ ଲାଗିଥିଲା ବଡ଼ ଝଟକା । ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଦମଦାର ଇନିଂସ ଖେଳିଥିଲେ ଶ୍ରେୟସ ଆୟର । ୪୪ଟି ବଲରୁ ୪ଟି ଛକା ଏବଂ ୬ଟି ଚୌକା ବଳରେ ୭୪ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଶ୍ରେୟସ । ସେହିପରି ସଞ୍ଜୁ ସାମସନ୍ ୩୯ ରନ୍ କରିଥିବା ବେଳେ ରବିନ୍ଦ୍ର ଜାଡେଜା ମାତ୍ର ୧୮ଟି ବଲରୁ ଗୋଟିଏ ଛକା ଏବଂ ୭ଟି ଚୌକା ବଳରେ ୪୫ ରନ୍ ସଂଗ୍ରହ କରିଥିଲେ ।