ନ୍ୟୁଜିଲାଣ୍ଡ ମାଟିରୁ ସିରିଜ୍ ପୋଛିନେଲା ଭାରତ । କିୱି ଦଳ ବିପକ୍ଷରେ କୋହଲି ବାହିନୀର କ୍ଲିନ୍ ସୁଇପ୍, ଅନ୍ତିମ ଟି-୨୦ରେ ୭ ରନରେ ଜିତିଲା ଟିମ୍ ଇଣ୍ଡିଆ ।

555

କନକ ବ୍ୟୁରୋ : ସିରିଜ୍ ପୋଛିନେଲା ଭାରତ । କିୱି ଦଳକୁ ମାତ୍ ଦେଇ କୋହଲି ବାହିନୀର କ୍ଲିନ୍ ସୁଇପ୍ । ନ୍ୟୁଜିଲାଣ୍ଡ ବିପକ୍ଷ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛିନେଇଛି ଟିମ୍ ଇଣ୍ଡିଆ ।

ଆଜି ଖେଳାଯାଇଥିବା ରୋମାଞ୍ଚକର ୫ମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ବିରାଟ କୋହଲି ବିଶ୍ରାମ ନେଇଥିବାରୁ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ରୋହିତ ଶର୍ମା । ହିଟ୍ ମ୍ୟାନଙ୍କ ହାଇଭୋଲଟେଜ୍ ଅର୍ଦ୍ଧଶତକ ଏବଂ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୧୬୩ ରନ୍ କରିଥିଲା ଟିମ୍ ଇଣ୍ଡିଆ ।

୧୬୪ ରନର ବିଜୟଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା କିୱି ଦଳକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ଭଲ ଫର୍ମରେ ଥିବା ମାର୍ଟିନ୍ ଗୁପ୍ତିଲ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ରସ୍ ଟେଲର ଏବଂ ୱିକେଟ କିପର ଟିମ୍ ସୈଫର୍ଟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ । ନିର୍ଦ୍ଧାରିତ ଓଭରରେ ଦଳ ୯ଟି ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଦମଦାର ବୋଲିଂ କରି ଜସପ୍ରିତ ବୁମରା ମାତ୍ର ୧୨ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ନବଦୀପ ସୈନୀ, ସାର୍ଦ୍ଦୁଲ ଠାକୁର ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ୱାଶିଂଙ୍ଗଟନ୍ ସୁନ୍ଦର ଗୋଟିଏ ୱିକେଟ୍ ନେଇଛନ୍ତି । ଶାଣିତ ବୋଲିଂ ପାଇଁ ଜସପ୍ରିତ ବୁମରାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।