କନକ ବ୍ୟୁରୋ : ମୁମ୍ବାଇରେ ଟିମ୍ ଇଣ୍ଡିଆର ମହାବିଜୟ । ମୁମ୍ବାଇ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ୧-୦ରେ ସିରିଜ ହାତେଇଛି । ଦ୍ୱିତୀୟ ଇନିଂସରେ ମାତ୍ର ୧୬୭ ରନରେ ପ୍ୟାଭିଲିୟନ ଫେରିଲା ପୂରା ନ୍ୟୁଜିଲାଣ୍ଡ ଟିମ୍ । ଅଶ୍ୱିନୀ ଓ ଜୟନ୍ତ ଯାଦବଙ୍କ ଘାତକ ବୋଲିଂ ବଳରେ ଭାରତ ଏହି ବଡ ବିଜୟ ହାସଲ କରିଛି । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ଭାରତର ଦୁଇ ଷ୍ଟାର ସ୍ପିନର ଅଶ୍ୱିନୀ ଓ ଜୟନ୍ତ ଯାଦବ । ଉଭୟ ୪ଟି ଲେଖାଏଁ ୱିକେଟ ହାସଲ କରିବା ସହ କିୱି ଦଳକୁ ମାତ୍ର ୧୬୭ ରନରେ ସୀମିତ ରଖିବାକୁ ସକ୍ଷମ ହୋଇଥିଲା ।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୫ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୬୨ ରନରେ ଅଲଆଉଟ ହୋଇଥିଲା ।୨୬୩ ରନର ପ୍ରଥମ ଇନିଂସ ଅଗ୍ରଣୀ ପାଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୭୬ ରନ କରି ପାଳି ଘୋଷଣା କରିଥିଲା । ଆଉ ଏହାସହ ନ୍ୟୁଜିଲାଣ୍ଡ ସମ୍ମୁଖରେ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ମଧ୍ୟ ନ୍ୟୁଜିଲାଣ୍ଡକୁ ସମଦଶା ଭୋଗିବାକୁ ପଡିଥିଲା । ମାତ୍ର ୧୬୭ ରନରେ ସମସ୍ତ ୱିକେଟ ହରାଇବା ସହ ୩୭୨ ରନରେ ପରାଜିତ ହୋଇଛି । ଆଉ ଏହାସହ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ହାତେଇଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ହୋଇଥିଲା ।