କନକ ବ୍ୟୁରୋ : ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ମାତ୍ ଦେଲା ଭାରତ । ୩-୧ ଗୋଲରେ ପାକିସ୍ତାନକୁ ମାତ୍ ଦେଇ ସେମିଫାଇନାଲ ଟିକେଟ ରେସରେ ଆଗରେ ରହିଛି ଭାରତ । ବାଂଲାଦେଶରେ ଖେଳାଯାଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ ସହ ୩ ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି ଭାରତ । ଟିମ୍ ଇଣ୍ଡିଆ ପକ୍ଷରୁ ହରମନପ୍ରୀତ ୨ଟି ଓ ଆକାଶଦୀପ ସିଂ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲେ ।
ଭାରତ ପାଇଁ ପ୍ରଥମ କ୍ୱାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥଇଲେ ହରମନପ୍ରୀତ ସିଂ । ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳକୁ ଆଗୁଆ ରଖିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ । ତୃତୀୟ କ୍ୱାର୍ଟର ଆରମ୍ଭରୁ କିନ୍ତୁ ଭାରତୀୟ ଗୋଲ ସ୍କୋରରେ ଆଉ ଗୋଟିଏ ଗୋଲ ଯୋଡିଥିଲେ ଆକାଶଦୀପ ସିଂହ । ତେବେ ପାକିସ୍ତାନର ଜୁନେଦ ମଞ୍ଜୁର ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରି ମ୍ୟାଚର ରୋମାଞ୍ଚ ବଢାଇ ଦେଇଥିଲେ । ତେବେ ଚତୁର୍ଥ କ୍ୱାର୍ଟରରେ ହରମନପ୍ରୀତ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୩-୧ରେ ଆଗୁଆ ରଖିଥିଲେ । ପାକିସ୍ତାନ ପକ୍ଷରୁ ଭାରତୀୟ ଗୋଲ ପୋଷ୍ଟ ଉପରକୁ ଘନ ଘନ ଆକ୍ରମଣ ହୋଇଥିଲେ ମଧ୍ୟ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ ଭାରତୀୟ ଡିଫେଣ୍ଡର ।
Highlights from our splendid win over Pakistan in 📸! 😍#IndiaKaGame#HeroACT2021pic.twitter.com/1Tk9EsGGP2
— Hockey India (@TheHockeyIndia) December 17, 2021
ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚରେ କୋରିଆ ବିପକ୍ଷରେ ଡ୍ର କରିଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଆୟୋଜକ ବାଂଲାଦେଶକୁ ୯-୦ରେ ହରାଇଥିଲା । ଆଉ ଏବେ ପାକିସ୍ତାନ ବିପକ୍ଷରେ ୩-୧ରେ ବିଜୟଲାଭ କରି ସେମିଫାଇନାଲ ଟିକେଟ ପକ୍କା କରିଛି ଭାରତ ।