ମାତ୍ର ୩୯ଟି ବଲରେ ଟିମ୍ ଇଣ୍ଡିଆ ଜିତିଲା, ନେଟ୍ ରନ ରେଟରେ ସମସ୍ତଙ୍କୁ ପଛରେ ପକାଇଲା । ଏବେ ଟିମ୍ ଇଣ୍ଡିଆର ସେମିଫାଇନାଲ ଆଶା ବଢିଲା ।

311

କନକ ବ୍ୟୁରୋ : ମାତ୍ର ୩୯ ବଲରେ ଦମଦାର ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପରେ ସ୍କଟଲାଣ୍ଡ ବିପକ୍ଷରେ ଏହି ବଡ ବିଜୟ ହାସଲ କରିଛି ଭାରତ । ଏହି ବିଜୟ ସହ ନେଟ୍ ରନ ରେଟରେ ଗ୍ରୁପର ଅନ୍ୟ ଦଳକୁ ପଛରେ ପକାଇଛି ଟିମ୍ ଇଣ୍ଡିଆ । ଆଉ ଏହାସହ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଛି । ରାହୁଲ-ରୋହିତ ଯୋଡିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମାତ୍ର ୩୯ ବଲରେ ଟାର୍ଗେଟ ହାସଲ କରିଥିଲା ମେନ୍ ଇନ୍ ବ୍ଲୁ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ କୋହଲି । ଆଉ କୋହଲିଙ୍କ ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ଉଭୟ ପେସ୍ ଓ ସ୍ପିନ ବୋଲରଙ୍କ ଘାତକ ବୋଲିଂ ବଳରେ ସ୍କଟଲାଣ୍ଡ ମାତ୍ର ୮୫ ରନରେ ଅଲଆଉଟ ହୋଇଥିଲା । ୮୬ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୋହିତ-ରାହୁଲ ଯୋଡିଙ୍କ ପାଖରେ ବଡ ସୁଯୋଗ ଥିଲା କମ ଓଭର ମଧ୍ୟରେ ଜିତି ଭାରତର ନେଟ୍ ରନରେଟକୁ ବଢାଇବା । ଆଉ ପ୍ରଥମ ଓଭରରୁ ହିଁ ଭାରତ ଆକ୍ରମଣାତ୍ମକ ଖେଳିଥିଲା । ଉଭୟ ରାହୁଲ-ରୋହିତଙ୍କ ବ୍ୟାଟରୁ ଛକା ଓ ଚୌକା ବର୍ଷା ହୋଇଥିଲା । ଏପରିକି ମାତ୍ର ୧୮ଟି ବଲ ଖେଳି ୫୦ ରନ୍ ପୂରା କରିଥିଲେ ରାହୁଲ । ଅନ୍ୟପଟେ ରୋହିତଙ୍କ ବ୍ୟାଟରୁ ବିଶାଳ ଛକା ଦେଖିବାକୁ ମିଳିଥିଲା । ୧୬ ବଲରୁ ଦ୍ରୁତ ୩୦ ରନ୍ କରି ରୋହିତ ଭାରତର ବିଜୟକୁ ଆହୁରି ସହଜ କରିଦେଇଥିଲେ । ଶେଷରେ ସୂର୍ଯ୍ୟକୁମାର ଯାଦବ ଛକା ମାରି ଭାରତକୁ ବଡ ବିଜୟ ଭେଟି ଦେଇଥିଲେ ।

ଏହି ବିଜୟ ଫଳରେ ଭାରତର ରନ୍ ରେଟ ଗ୍ରୁପରେ ଅନ୍ୟ ଦଳ ଠାରୁ ସବୁଠୁ ଅଧିକ ରହିଛି । ତେଣୁ ଭାରତ ପାଇଁ ଏବେ ସେମିଫାଇନାଲ ଖେଳିବାର ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ଏଥିପାଇଁ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଟିମ୍ ଇଣ୍ଡିଆକୁ ଅପେକ୍ଷା କରିବାକୁ ପଡିବ । କାରଣ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଲେ ହିଁ ଭାରତର ସେମିଫାଇନାଲ ଆଶା ଉଜ୍ଜିବୀତ ରହିବ । କିନ୍ତୁ ନ୍ୟୁଜିଲାଣ୍ଡ ବିଜୟୀ ହେଲେ ଟି-୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଉ ତାହା ଚାହିଁବେ ଭାରତୀୟ କ୍ରିକେଟପ୍ରେମୀ  ।