ଟିମ୍ ଇଣ୍ଡିଆର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୨-୧ରେ ହାତେଇଲା ସିରିଜ ।

2,364

କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । ବିଦେଶ ମାଟିରେ ଭାରତର ବଡ ବିଜୟ । ବ୍ରିସବେନରେ ଟିମ୍ ଇଣ୍ଡିଆ ଉଡାଇଲା ବିଜୟ ବାନା । ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କଲା ଭାରତ । ବ୍ରିସବେନ ବିଜୟ ସହ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଆଉ ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୨ ବର୍ଷର ଅପରାଜେୟ ରେକର୍ଡରେ ବ୍ରେକ୍ ଲଗାଇଛି ଭାରତ ।

ରିଷଭ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ବଳରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି ଟିମ୍ ଇଣ୍ଡିଆ । ବିରାଟଙ୍କ ଅନୁପସ୍ଥିତିରେ ଏହି ବଡ଼ ବିଜୟ ଭେଟି ଦେଇଛନ୍ତି ଆଜିଙ୍କ୍ୟ ରାହାଣେ । ଭାରତୀୟ ଯୁବ ଟିମ୍ ଆଗରେ ମୁଣ୍ଡ ନୁଆଇଁଛି କଙ୍ଗାରୁ ଦଳ । ପଞ୍ଚମ ଦିନରେ ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା । ତେବେ ଶୁଭମାନ ଓ ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମାନ । ଆଉ ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ । ତେବେ ପୂଜାରା ଓ ପନ୍ତ ଦୀର୍ଘ ସମୟ ଧରି ବ୍ୟାଟିଂ କରିବା ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ । ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ । ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡକୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ ।

ଏହାପୂର୍ବରୁ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟକୁ ଭାରତ ବାଜି ମାରିନେଇଥିଲା । ତୃତୀୟ ଟେଷ୍ଟ ଡ୍ର ହୋଇଥିବା ବେଳେ ରୋମାଞ୍ଚକର ଚତୁର୍ଥ ଟେଷ୍ଟକୁ ଜିତି ସିରିଜ କବଜା କରିଛି ଟିମ୍ ଇଣ୍ଡିଆ ।