ଭାରତର ୫୦୦ ତମ ଶିକାର କଙ୍ଗାରୁ ଟିମ୍ ! ଦ୍ୱିତୀୟ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ବିରାଟ ଓ ବିଜୟ ମ୍ୟାଚର ହିରୋ ।

619

କନକ ବ୍ୟୁରୋ : ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଟିମ ଇଣ୍ଡିଆ । ନାଗପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ କଙ୍ଗାରୁ  ଟିମକୁ ୮ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ବିରାଟ ବାହିନୀ । ଶେଷ ଓଭର ପର୍ଯ୍ୟନ୍ତ ଖେଳର ରୋମାଞ୍ଚ ଜାରି ରହିଥିବା ବେଳେ ବିଜୟ ଶଙ୍କର ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । ଶେଷ ଓଭରରେ ଦୁଇଟି ୱିକେଟ ନେଇ ଦଳକୁ ଦମଦାର ବିଜୟ ଦେଇଥିଲେ ବିଜୟ ଶଙ୍କର । ଏହାସହ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।

ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଯାହାକୁ ଅଷ୍ଟ୍ରେଲିଆ ବୋଲର ମଧ୍ୟ ସଠିକ୍ ପ୍ରମାଣିତ କରିଥିଲେ । ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା  । ତେବେ କ୍ୟାପଟେନ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଭାରତକୁ ୨୫୦ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା ।

୨୫୧ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ପ୍ରଥମରୁ ଦୃଢ ବ୍ୟାଟିଂ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନ ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଗୋଟିଏ ପଟେ ଷ୍ଟୋନିସ ଦମଦାର ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କୌଣସି ଅଷ୍ଟ୍ରେଲୀୟ ଖେଳାଳି ତାଙ୍କୁ ସାଥ୍ ଦେଇନଥିଲେ । ଆଉ ଏହାସହ ଭ୍ରମଣକାରୀ ଦଳ ୨୪୨ ରନ କରିବା ସହ ବିଜୟଲକ୍ଷ୍ୟ ଠାରୁ ୯ ରନ ଦୂରରେ ରହିଯାଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ ବୁମରାହା ଏବଂ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇ ଦଳକୁ ଦେଇଥିଲେ ଏକ ରୋମାଞ୍ଚକର ବିଜୟ । ଆଉ ଏହି ବିଜୟ ସହ ଭାରତ ଦିନିକିଆରେ ୫୦୦ ତମ ବିଜୟ ହାସଲ କରିଛି ।