ଦୁଇ ଦିନରେ ଖେଳ ଖତମ୍ । ବଡ ଷ୍ଟାଡିୟମରେ ଭାରତର ବଡ ବିଜୟ । ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ବାଜି ମାରିଲା ବିରାଟ ବାହିନୀ ।

211

କନକ ବ୍ୟୁରୋ: ତୃତୀୟ ଟେଷ୍ଟରେ ଭାରତର ବଡ ବିଜୟ । ୧୦ ୱିକେଟରେ ଇଂଲଣ୍ଡକୁ ହରାଇଲା ବିରାଟ ବାହିନୀ । ଦୁଇ ଦିନରେ ସରିଗଲା ତୃତୀୟ ଟେଷ୍ଟ । ବିଶ୍ୱର ବଡ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିଲା ୱିକେଟ ବର୍ଷା । ଉଭୟ ଦଳରେ ଭଲ ବୋଲିଂ ଦେଖିବାକୁ ମିଳିଥିଲା । ହେଲେ ଶେଷରେ ବାଜି ମାରିନେଲା ଇଣ୍ଡିଆ ।

ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଡେ ନାଇଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ଇଂଲଣ୍ଡ ବି ପ୍ରଥମ ଇଂନିସରେ ୧୧୨ ରନରେ ଅଲ ଆଉଟ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ୫୩ ରନ କରିଥିଲେ ।

ଭାରତର ତାର ପ୍ରଥମ ଇଂନିସରେ ୧୪୫ ରନ କରିଥିଲା । ଦଳ ପକ୍ଷରୁ ରୋହିତ ୬୬, ଗିଲ ୧୧, କୋହଲି ୨୭, ଅଶ୍ୱିନ ୧୭ ଓ ଇଶାନ୍ତ ୧୦ ରନ କରିଥିଲେ । ସେହପରି ଏହି ଇଂନିସରେ ଇଂଲଣ୍ଡ ପକ୍ଷରୁ ରୁଟ ୫ ଓ ଜ୍ୟାକ ଲେହ ୪ଟି ୱିକେଟ ନେଇଥିଲେ ।

ଏହାପରେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା । ହେଲେ ଏଥିରେ ବି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । କେହି ବି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ଫଳରେ ଇଂଲଣ୍ଡ ୮୧ ରନରେ ଅଲଆଉଟ ହୋଇଯାଇଥିଲା । ଆଉ ଭାରତକୁ ୪୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ ଦଳ ।

୪୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଆଉ ୧୦ ୱିକେଟରେ ଏହି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଭାରତ ପକ୍ଷରୁ ଅକ୍ଷର ପଟେଲ ମୋଟ ୧୧ ଓ ଅଶ୍ୱିନ ୭ଟି ୱିକେଟ ନେଇଥିଲେ ।