ଦିଲ୍ଲୀ ଦରବାରରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ । ସାଧାରଣତନ୍ତ୍ର ଦିବସରେ ଝଲସିବ ଓଡ଼ିଶାର କଳା-ସଂସ୍କୃତିର ଝଲକ୍, ନୃତ୍ୟଶିଳ୍ପୀ ପ୍ରଦର୍ଶନ କରିବେ ଡାଲଖାଇ ନୃତ୍ୟ ।

129

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୬ରେ ଦିଲ୍ଲୀ ଦେଖିବ ଓଡିଶା ପ୍ରସିଦ୍ଧ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ସାଧାରଣତନ୍ତ୍ର ଦିବସରେ ୧୧ ତମ ପ୍ରଜ୍ଞାପନ ମେଢ଼ ଭାବେ ଶୋଭା ପାଇବ ରୁକୁଣା । ଏଥିପାଇଁ ରୁକୁଣା ରଥର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ସହ ଦିଲ୍ଲୀ ଦରବାରରେ ଉତ୍କଳର କଳା ସଂସ୍କୃତିକୁ ପରିବେଷଣ କରିବା ପାଇଁ ପହଞ୍ଚିଛନ୍ତି ଓଡିଶାର କଳାକାର ।

ଅଦିନରେ ନୂଆ ଦିଲ୍ଲୀରେ ଗଡିବ ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜଧାନୀ ସମେତ ସାରା ଦେଶ ଦେଖିବ ଓଡିଶାର ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ଏଥିପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି, ରଥ ଆଉ ପଥ । ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ପରେଡରେ ସାମିଲ ହେବ ଓଡିଶାର ପ୍ରଜ୍ଞାପନ ମେଢ । ଆଉ ଏହି ପ୍ରଜ୍ଞାପନ ମେଢରେ ପୂରା ପାରମ୍ପରିକ ଢଙ୍ଗରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ପ୍ରଦର୍ଶିତ କରିବ ଓଡିଶା । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ମୋଟ ୨୨ ପ୍ରଜ୍ଞାପନ ମେଢ ସାମିଲ ହେବ । ଯେଉଁଥିରେ ଓଡିଶାର ପ୍ରଜ୍ଞାପନ ମେଢ ୧୧ ନମ୍ବର ସ୍ଥାନରେ ରହିବ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଡିଶାରୁ ଯାଇଥିବା ନୃତ୍ୟଶିଳ୍ପୀମାନେ ଦିଲ୍ଲୀ ଦରବାରରେ ନୃତ୍ୟ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରିବେ । ପଶ୍ଚିମ ଓଡିଶାର ଲୋକନୃତ୍ୟ ଡାଲଖାଇ ସହ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ନୃତ୍ୟ ପରିବେଷଣ କରିବେ କଳାକାର ।

ଗତ ଦୁଇ ବର୍ଷ ହେଲା ଓଡିଶାର ପ୍ରଜ୍ଞାପନ ମେଢ ଗଣତନ୍ତ୍ର ଦିବସରେ ସାମିଲ ହୋଇନଥିଲା । ଶେଷ ଥର ପାଇଁ ଓଡିଶାର ପ୍ରଜ୍ଞାପନ ମେଢ ୨୦୧୭ରେ ସାମିଲ ହୋଇଥିଲା, ଯାହାର ଥିମ୍ ଥିଲା ଦୋଳ ।