କନକ ବ୍ୟୁରୋ : ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିକିଏ ପଛାଇବୁ ନାହିଁ । ଦରକାର ପଡିଲେ ସୀମା ପାର କରିବୁ, ଆତଙ୍କବାଦୀଙ୍କୁ ନିପାତ କରିବୁ । ଏଭଳି ଏକ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ଥିବା ସୈନିକଙ୍କୁ ସମ୍ମାନିତ କରିବା ଅବସରରେ କିଛି ଏଭଳି କହିଛନ୍ତି ରାଜନାଥ । ଏବେ ଆତଙ୍କବାଦଙ୍କୁ ସମୂଳେ ନାଶ କରିବାକୁ ମୋଦୀ ସରକାର କଡା ପଦକ୍ଷେପ ନେଉଛନ୍ତି । ଆଉ ଏନେଇ ପୂରା ବିଶ୍ୱକୁ ସଙ୍କେତ ଦେଇ ସାରିଛି ଭାରତ । କେବଳ ଦେଶ ଭିତରେ ନୁହେଁ ଯଦି ଦେଶ ବାହାରୁ ଭାରତକୁ ଟାର୍ଗେଟ କରାଯାଉଛି ତେବେ ସୀମା ପାର କରିବାକୁ ମଧ୍ୟ ପଛାଇବୁ ନାହିଁ ।
ଏହାଛଡା ରାଜନାଥ କହିଛନ୍ତି, ଏବେ ଭାରତର ପୂର୍ବ ସୀମାରେ ଅଧିକ ଶାନ୍ତି ଓ ସ୍ଥିରତା ଦେଖିବାକୁ ମିଳୁଛି । କାରଣ ପୂର୍ବ ସୀମାରେ ବାଂଲାଦେଶ ଏକ ବନ୍ଧୁ ପଡୋଶୀ ଦେଶ ଭାବେ ଉଭା ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଫଳରେ ଏବେ ପୂର୍ବ ଭାରତରେ ଶାନ୍ତି ସହ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି ।
ସେହିଭଳି ପୂର୍ବୋତ୍ତର ରାଜ୍ୟ ଗୁଡିକରେ ଆଫସ୍ପା ହଟାଯିବାକୁ ନେଇ ରାଜନାଥ କହିଛନ୍ତି, ଏହା ଛୋଟ କଥା ନୁହେଁ । କିନ୍ତୁ ଗତ ୩ରୁ ୪ ବର୍ଷ ହେବ ପୂର୍ବତ୍ତୋର ରାଜ୍ୟ ଗୁଡିକରୁ ଆଫସ୍ପା ହଟାଇବାକୁ ଜୋରଦାର ଉଦ୍ୟମ ଜାରି ରଖିଛୁ । ଏପରିକି ଯେତେବେଳେ ଦେଶର ଗୃହମନ୍ତ୍ରୀ ଥିଲି ସେତେବେଳେ ମେଘାଳୟ ଓ ଅରୁଣାଚଳପ୍ରଦେଶର କିଛି ଅଞ୍ଚଳରେ ଆଫସ୍ପା ହଟାଯାଇଥିଲା ।