କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପ୍ରସ୍ତୁତିରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ସମସ୍ତ ଉଦ୍ୟମ ସତ୍ତ୍ୱେ ଭାରତକୁ ମନାଇବାରେ ପାକିସ୍ତାନ ସଫଳ ହୋଇପାରି ନାହିଁ । ରିପୋର୍ଟ ମୁତାବକ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

  • ପାକିସ୍ତାନ କ୍ରିକେଟ ବୋର୍ଡକୁ ଶକ୍ତ ଝଟକା
  • ସବୁ ଉଦ୍ୟମ ସତ୍ତ୍ୱେ ଭାରତକୁ ମନାଇବାରେ ବିଫଳ
  • ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବନି ଭାରତ
  • ଭେନ୍ୟୁ ବଦଳାଇବା ପାଇଁ ବିସିସିଆଇର ଚାପ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ଆଇସିସି ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାର ଦାୟିତ୍ୱ ପାକିସ୍ତାନକୁ ଦେଇଥିଲା। ଏବେ ଏହାକୁ ନେଇ ଏକ ଦ୍ୱନ୍ଦ୍ୱ ସାମ୍ନାକୁ ଆସିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ ବୋଲି ଜଣାଯାଇଛି। ବିସିସିଆଇ ଏନେଇ ଆଇସିସି ସହିତ ଆଲୋଚନା କରିବ। ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରେ। ଯାହାଦ୍ୱାରା ଅନ୍ୟ ମ୍ୟାଚ୍ ପାକିସ୍ତାନରେ ଖେଳାଗଲେ ବି ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ। ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ଘଟଣା ଘଟିଥିଲା। ଭାରତ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା।

ପୂର୍ବରୁ ଏହି ବିବାଦ ଏସିଆ କପ ସମୟରେ ମଧ୍ୟ ହୋଇଥିଲା। ଭାରତ ପାକିସ୍ତାନ ଯିବାକୁ ମନା କରିବାରୁ ଶ୍ରୀଲଙ୍କାରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ହେଲେ ପାକିସ୍ତାନ ଖେଳାଳି ଭାରତ ଆସି ‌ଖେଳିବାକୁ ମନା କରିନଥିଲେ। ଏବେ ପୁଣି ଭାରତ, ପାକିସ୍ତାନ ଯିବାକୁ ପ୍ରସ୍ତୁତ ନଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ସେପଟେ ଆଇସିସି ସୂଚୀ ଅନୁସାରେ ୮ଟି ଟିମ୍ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ପାଇଁ ମୁକାବିଲା କରିବେ। ମାର୍ଚ୍ଚ ୧ରେ ମୁହାଁମୁହିଁ ହେବେ ଭାରତ-ପାକ୍, ଯାହା ଲାହୋରରେ ଅନୁଷ୍ଠିତ ହେବାର ଯୋଜନା ରହିଛି।