ହକି ବିଶ୍ୱକପରେ ଆଜି ଇଂଲଣ୍ଡକୁ ଭେଟିବ ଭାରତ । କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି କ୍ୱାର୍ଟରରେ ପହଞ୍ଚିବାକୁ ଭାରତର ଲକ୍ଷ୍ୟ

106

କନକ ବ୍ୟୁରୋ : ସ୍ପେନ ବିରୋଧରେ ଜବରଦସ୍ତ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଦଳ ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ । ଶୁକ୍ରବାର ପ୍ରଥମ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ସ୍ପେନକୁ ୨-୦ ଗୋଲରେ ହରାଇଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମକୁ କଡ଼ା ଚ୍ୟାଲେଞ୍ଜ ମିଳିପାରେ । କାରଣ ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚରେ ୱେଲ୍ସକୁ ଏକତରଫା ଭାବେ ୫-୦ ଗୋଲରେ ହରାଇଥିଲା । ଆଜି ଯେଉଁ ଟିମ୍ ମ୍ୟାଚ୍ ଜିତିବ, ସେହି ଟିମ୍ କ୍ୱାର୍ଟର୍ ଫାଇନାଲ ଟିକେଟ୍ କାଟିବ । ଏଭଳି ସ୍ଥିତିରେ ଆୟୋଜକ ଭାରତ ପାଖରେ କ୍ୱାର୍ଟର୍ ଫାଇନାଲରେ ପହଂଚିବାର ଭଲ ସୁଯୋଗ ରହିଛି । ରାଉରକେଲାର ବିର୍ସା ଷ୍ଟାଡିୟମରେ ପ୍ରାୟ ୨୦ହଜାର ଦର୍ଶକ ଭାରତକୁ ସମର୍ଥନ ଦେବେ । ଏହାର ଫାଇଦା ଉଠାଇ ଭାରତ ଇଂଲଣ୍ଡକୁ ହରାଇବାକୁ ଚାହିଁବ ।

ସ୍ପେନ୍ ବିପକ୍ଷ ମ୍ୟାଚରେ ଭାରତର ଡିଫେନ୍ସ ବେଶ୍ ମଜଭୁତ ରହିଥିଲା । ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶ ଓ ବାହାଦୂର ପାଠକ ଭାରତୀୟ ଗୋଲ୍ ପୋଷ୍ଟ ଆଗରେ ଢାଲ ଭଳି ଛିଡ଼ା ରହିଥିଲେ । ସେହି ତୁଳନାରେ ଇଂଲଣ୍ଡର ଗୋଲକିପର ଓଲିଭର ପେନେ ମଧ୍ୟ ୱେଲ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ଦଳର ଏକମାତ୍ର ଦୁର୍ବଳତା ହେଉଛି ପେନାଲ୍ଟି କର୍ଣ୍ଣର । ସ୍ପେନ୍ ବିରୋଧରେ ମିଳିଥିବା ୫ଟି ଯାକ ପେନାଲ୍ଟି ମଧ୍ୟରୁ ଗୋଟିଏ ବି ସିଧାସଳଖ ଗୋଲ୍ ଦେବାରେ ବିଫଳ ହୋଇଥିଲା ଭାରତ । ବିଗତ ବର୍ଷ ଗୁଡ଼ିକରେ ପ୍ରାୟ ପ୍ରତ୍ୟେକ ଟୁର୍ଣ୍ଣାମେଂଟରେ ସର୍ବଶ୍ରେଷ୍ଠ ଖେଳାଳି ଓ ଟପ୍ ସ୍କୋରର ରହିଥିବା ହରମନପ୍ରୀତ ସିଂ ପେନାଲ୍ଟି ଷ୍ଟ୍ରୋକ୍ ନେବାରେ ବିଫଳ ହେବା ସହ ପେନାଲ୍ଟି କର୍ଣ୍ଣରରେ ବଲକୁ ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଂଚାଇପାରିନଥିଲେ । ତେଣୁ ଭାରତକୁ ଏଥିରେ ସୁଧାର ଆଣିବାକୁ ପଡ଼ିବ । ତେବେ ପ୍ରଥମ ମ୍ୟାଚରେ ଓଡ଼ିଆ ଷ୍ଟାର ତଥା ଉପଅଧିନାୟକ ଅମିତ ରୋହିଦାସଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା । ଘରୋଇ ଦର୍ଶକଙ୍କ ସାମ୍ନାରେ ତାଙ୍କ ପାଖରେ ପୁଣିଥରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଯଦି ଓଭରଅଲ୍ ରେକର୍ଡକୁ ଦେଖିବା ତେବେ ରେକର୍ଡ ଇଂଲଣ୍ଡ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୧୩୫ ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ମାତ୍ର ୨୬ଟି ଏବଂ ଇଂଲଣ୍ଡ ୮୬ଟିରେ ବିଜୟୀ ହୋଇଛି । ୨୩ଟି ମ୍ୟାଚ୍ ଡ୍ର’ ରହିଛି । ବିଶ୍ୱକପରେ ଉଭୟ ଦଳ ୮ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୩ଥର ଓ ଇଂଲଣ୍ଡ ୪ଥର ବିଜୟୀ ହୋଇଛନ୍ତି । ତେବେ ଗୋଟିଏ ମ୍ୟାଚ୍ ଡ୍ର’ ରହିଥିଲା । ଆଜି ଗ୍ରୁପ୍-ଡି’ର ଅନ୍ୟଏକ ମୁକାବିଲାରେ ସ୍ପେନର ସାମ୍ନା ୱେଲ୍ସ ସହ ହେବ ।