କନକ ବ୍ୟୁରୋ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଶ୍ରୀଲଙ୍କା ସରକାର ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି । ଦେଶରେ ଭୟଙ୍କର ମାତ୍ରାରେ ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି । ଆଉ ଏଭଳି ସ୍ଥଳେ ସହାୟତାର ହାତ ବଢାଇଛି ଭାରତ । ଶ୍ରୀଲଙ୍କାବାସୀଙ୍କ ଭୋକ ଦୂର କରିବାକୁ ଭାରତରୁ ୪୦ ହଜାର ଟନ୍ ଚାଉଳ ଏବେ ସିଂହଳୀ ଦେଶରେ ପହଞ୍ଚିଛି ।
ଶ୍ରୀଲଙ୍କାରେ ଦେଖାଦେଇଥିବା ଘୋର ଆର୍ଥିକ ସଙ୍କଟ ହିଁ ଏଭଳି ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ । ଏବେ ଶ୍ରୀଲଙ୍କାରେ ବିଦେଶ ମୁଦ୍ରା ଖୁବ କମ ରହିଛି । ଯାହାଦ୍ୱାରା ଅନ୍ୟ ଦେଶରୁ ଆବଶ୍ୟକତା ଅନୁସାରେ କୌଣସି ସାମଗ୍ରୀ ଆମଦାନୀ କରିପାରୁନାହିଁ ଶ୍ରୀଲଙ୍କା । ଇନ୍ଧନ ଆମଦାନୀ କମ ରହୁଥିବାରୁ ଶ୍ରୀଲଙ୍କାରେ ଦୈନିକ ୧୩ରୁ ଅଧିକ ଘଣ୍ଟା ବିଦ୍ୟୁତ ସେବା ବନ୍ଦ କରାଯାଉଛି । ରାସ୍ତାରେ ଲାଗୁଥିବା ଷ୍ଟ୍ରିଟ ଲାଇଟ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀଲଙ୍କା ସରକାର । ଏପରିକି ଅନ୍ତର୍ଜାତୀୟ ବଜାରରେ ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ ହ୍ରାସ ପାଉଛି । ଆଉ ଏଭଳିସ୍ଥଳେ ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ସହାୟତା ନେବାକୁ ଶ୍ରୀଲଙ୍କା ପ୍ରସ୍ତୁତ ହେଉଛି ।
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭିତରେ ପୋଲିସ ଏବଂ ସେନାକୁ ଅଖଣ୍ଡ କ୍ଷମତା ଦିଆଯାଇଛି । ଦେଶରେ ଏବେ ଲୋକେ ଭୋକ ଉପାସରେ ଆଉଟପାଉଟ୍ ହେଉଛନ୍ତି । ଆର୍ଥିକ ସ୍ଥିତି ଖରାପ ଥିବାରୁ ଦରଦାମ ଆକାଶ ଛୁଆଁ ରହିଛି । ରାଜରାସ୍ତାକୁ ଲୋକେ ଓହ୍ଲାଇବା ପରେ ହିଂସା ଦେଖିବାକୁ ମିଳିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ବାସଭବନ ଆଗରେ ଲୋକେ ବସ ଜାଳିଦେଇଛନ୍ତି । ପରିସ୍ଥିତି ଅଣାୟତ ହେଉଥିବା ଔଷଧ ଦର ୩୦ ପ୍ରତିଶତ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି । ପ୍ରାୟ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ବେଳେ ପଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ କରଯାଇଛି ।
ଚାଉଳ କିଲୋ ୫ ଶହ ଟଙ୍କା, ଚିନି କିଲୋ ୨୯୦ ଟଙ୍କା, ଚା କପ ପାଇଁ ଶହେ ଟଙ୍କା ଦେବାକୁ ପଡୁଛି । ବିଦେଶୀ ଋଣ ବୋଝ ଏତେ ମାତ୍ରାରେ ବଢି ଯାଇଛି ଯେ, ଋଣ ସୁଝିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଯେଉଁଥିପାଇଁ ଦେଶରେ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏପରି ସ୍ଥଳେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତ । ଶ୍ରୀଲଙ୍କାକୁ ପ୍ରାୟ ୩ ଲକ୍ଷ ଟନ୍ ଚାଉଳ ଦେବାକୁ ଭାରତ ପକ୍ଷରୁ ନିଷ୍ପତି ନିଆଯାଇଛି ।