କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ବାରମ୍ବାର ନିରାଶ ହେଉଛି । ଆମେରିକା ପକ୍ଷରୁ ବାରମ୍ବାର ବିଭିନ୍ନ ଉପାୟରେ ଚାପ ପକାଇବା ସତ୍ତେ୍ୱ ମଧ୍ୟ ଭାରତ ଏଯାବତ୍ ଋଷ ବିରୋଧରେ ମୁହଁ ଖୋଲୁନାହିଁ । ଭାରତ ବାରମ୍ବାର ଆଲୋଚନା ମାଧ୍ୟମରେ ଯୁଦ୍ଧର ସମାପ୍ତି ଚାହୁଁଥିବା ବେଳେ ଆମେରିକାକୁ ଏହା କିନ୍ତୁ ପସନ୍ଦ ଆସିନାହିଁ । ଯାହାକୁ ନେଇ ଆମେରିକା ଏବେ ଭାରତକୁ ପରୋକ୍ଷରେ ଧମକ ଦେବା ଆରମ୍ଭ କରିଛି । ଯଦି ଋଷ ସହ ଭାରତ ସର୍ମ୍ପକ ଆହୁରି ଦୃଢ କରେ ଓ ସହଯୋଗୀ ସାଜେ ତେବେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଆମେରିକା ଚେତାଇଛି ।

Advertisment

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଋଷ ସହ ଭାରତର ବଢୁଥିବା ସମ୍ପର୍କକୁ ଦେଖି ଆମେରିକା ପ୍ରଶାସନ ଚେତାବନୀ ଦେଇଛି । ଏପରିକି ଋଷ-ୟୁକ୍ରେନର ଯୁଦ୍ଧକୁ ନେଇ ଭାରତ ଦେଉଥିବା ପ୍ରତିକ୍ରିୟାକୁ ନେଇ ଆମେରିକା ନିରାଶ ଥିବା କୁହାଯାଇଛି । କେବଳ ଭାରତ ନୁହେଁ ଚୀନର ନିଷ୍ପତି ଓ ପ୍ରତିକ୍ରିୟାକୁ ନେଇ ଆମେରିକା ନିରାଶ ଥିବା କହିଛି ।

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ୟୁରୋପୀୟ ଦେଶ, ନାଟୋ ସମୂହ ଦେଶ, ଅଷ୍ଟ୍ରେଲିଆ ଓ ଜାପାନ ଭଳି ଦେଶ ଋଷ ଉପରେ କଡା ଆର୍ଥିକ ପ୍ରତିବନ୍ଧକ ଲଗାଇଥିବା ବେଳେ ଭାରତ ଏଯାବତ୍ ଚୁପ୍ ରହିବା ସହ ଆଲୋଚନା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବା ଉପରେ ଜୋର ଦେଇ ଆସୁଛି । ଏପରିକି ଜାତିସଂଘରେ ଋଷ ଆକ୍ରମଣକୁ ନେଇ ଆସିଥିବା ନିନ୍ଦା ପ୍ରସ୍ତାବ ଭୋଟିଂରୁ ମଧ୍ୟ ଭାରତ ଦୂରେଇ ରହିଥିଲା ।

ଏସବୁ ଭିତରେ ଋଷ ଠାରୁ ଭାରତ ରିହାତି ଦରରେ ପ୍ରଚୁର ପରିମାଣରେ ତୈଳ କିଣୁଛି ଭାରତ । ଯାହାକୁ ନେଇ ଭାରତ ଉପରେ ଏବେ ଆମେରିକା ଚାପ ପକାଇବା ଆରମ୍ଭ କରିଛି । ଏପରିକି ଋଷ ଠାରୁ ରିହାତି ଦରରେ ପ୍ରଚୁର ପରିମାଣରେ ତୈଳ କିଣିବା ଭାରତ ପାଇଁ ହିତକର ନୁହେଁ ବୋଲି କହି ପରୋକ୍ଷରେ ଚେତାବନୀ ଦେଇଛି ଆମେରିକା । କିନ୍ତୁ ଏହାକୁ ମଧ୍ୟ ଖାତିର କରିନାହିଁ ଭାରତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ରିହାତି ଦରରେ ତୈଳ ଓ ଇନ୍ଧନ ମିଳିଲେ ଭାରତ ନିଶ୍ଚୟ କିଣିବ ।