ବିରାଟ ବାହିନୀ ଖେଳିବ ବିଶ୍ୱକପ କ୍ରିକେଟ ସେମିଫାଇନାଲ । ଜାଣନ୍ତୁ ଭାରତୀୟ ଟିମକୁ ନେଇ କିଏ କଲା ଏଭଳି ଭବିଷ୍ୟବାଣୀ ।

422

ମେ’ ୨୩ରୁ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ ବିଶ୍ୱକପ ୨୦୧୯ । ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବିଶ୍ୱକପ ଲଢେଇ ପାଇଁ ଲଣ୍ଡନ ଯିବ । ଆଉ ଏସବୁ ଭିତରେ ଭାରତୀୟ କ୍ରିିକେଟ ଟିମକୁ ନେଇ ବଡ ବୟାନ ଦେଇଛନ୍ତି ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଚାମିଣ୍ଡା ଭାସ । ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ରେ ଭାରତ ସେମିଫାଇନାଲ ଖେଳିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଭାସ । ଯୁବ ଓ ଅଭିଜ୍ଞ ଭାରତୀୟ ଟିମ ବେଶ ସହଜରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିବ ବୋଲି କହିଛନ୍ତି ଭାସ ।

ତେବେ ନିଜ ଦେଶ ଶ୍ରୀଲଙ୍କାକୁ ନେଇ ଚାମିଣ୍ଡା କହିଛନ୍ତି, ୨୦୧୯ ବିଶ୍ୱକପରେ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିବା ନେଇ ସେ ସନ୍ଦିହାନ ଅଛନ୍ତି । କିନ୍ତୁ ଲାସିଥ ମାଲିଙ୍ଗା ଯଦି ସଫଳ ହୁଅନ୍ତି ତେବେ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଚାମିଣ୍ଡା କହିଛନ୍ତି । ଭାରତୀୟ ଟିମ ବାବଦରେ ଚାମିଣ୍ଡା କହିଛନ୍ତି, ଗତ ୨ରୁ ୩ ବର୍ଷ ମଧ୍ୟରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରି ଆସୁଛି । କାରଣ ଟିମ୍ ଇଣ୍ଡିଆ ପାଖରେ ଭଲ ଦ୍ରୁତ ବୋଲର ରହିଥିବା ବେଳେ ସନ୍ତୁଳିତ ଟିମ ରହିଛି । ତେଣୁ ବେଶ ଆରାମରେ ଭାରତ ସେମିଫାଇନାଲ ଖେଳିବ ବୋଲି ଚାମିଣ୍ଡା ଭବିଷ୍ୟବାଣୀ କରିଛନ୍ତି ।