କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।

86

କନକ ବ୍ୟୁରୋ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ କାନାଡାକୁ ମଧ୍ୟ କୋଭିଡ ଟିକା ଯୋଗାଇବ ଭାରତ । ତେବେ ଏହା ଏକ ବ୍ୟବସାୟିକ ବିକ୍ରୟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଷ୍ଟିନ ଟ୍ରୁଡୋଙ୍କ ଫୋନ୍ କରି କରୋନା ଟିକା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ । ଏଥିରେ ରାଜି ହୋଇଛନ୍ତି ଭାରତ ସରକାର ।

ବୁଧବାର ଦିନ ଦୁଇ ଦେଶର ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଏହି ସମୟରେ କରୋନା ମହାମାରୀ ବିରୋଧୀ ଲଢେଇ, ବିଶ୍ୱ ଅର୍ଥନୀତି ଓ ଜଳବାୟୁ ପରିବର୍ତନ ଦିଗରେ ମିଳିତ ଭାବେ କାମ କରିବା ପାଇଁ ଆଲୋଚନା ହୋଇଛି । କାନାଡା ପାଇଁ ୧ ମିଲିୟନ କୋଭିଡ ଟିକା ପଠାଇବା ପାଇଁ ମୋଦୀଙ୍କୁ ନିବେଦନ କରିଥିଲେ ଜଷ୍ଟିନ ଟ୍ରୁଡୋ । କାନାଡା ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ରକ୍ଷା କରି ଭାରତ ସମସ୍ତ ସହାୟତା କରିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ।

ମୋଦୀ ଟ୍ୱିଟ କରି ଲେଖିଛନ୍ତି, ବନ୍ଧୁ ଜଷ୍ଟିନ ଟ୍ରୁଡୋଙ୍କ ଫୋନ୍ କଲ ପାଇ ମୁଁ ଖୁସି । ଏବଂ କାନାଡାକୁ କୋଭିଡ ଟିକା ଯୋଗାଇ ଦେବା ପାଇଁ ଭାରତ ସବୁ ପ୍ରୟାସ କରାଯିବ ବୋଲି ମୁଁ ପ୍ରତିଶ୍ରୁତି ଦେଇଛି । ଏହାସହ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଅର୍ଥନୀତିରେ ସୁଧାର ଦିଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ । ସେପଟେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ବିବୃତି ରଖି କହିଛନ୍ତି, ସାରା ବିଶ୍ୱ କରୋନାକୁ ହରାଇବାରେ ଭାରତୀୟ ଚିକିତ୍ସା ବିଜ୍ଞାନର ଗୁରୁତ୍ୱୂପର୍ଣ୍ଣ ଭୂମିକା ରହିଛି । ଏହି ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ନେତୃତ୍ୱ ପ୍ରଶଂସନୀୟ ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ନେଇ ନିକଟରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏପରିକି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଟ୍ରୁଡୋ । ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ଭାରତର ଅନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ କାହାରି ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ।