କନକ ବ୍ୟୁରୋ: ୨୦୭୫ରେ ଆମେରିକାକୁ ଟପିବ ଭାରତ । ବୃହତ୍ତ ଆର୍ଥିକ ମହାଶକ୍ତି ହେବ ଦେଶ । ୪ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ଗଢି ବିଶ୍ୱର ବୃହତ ମହାଶକ୍ତିରେ ପରିଣତ ହେବ । କେବଳ ଜାପାନ କି ଜର୍ମାନୀ ନୁହେଁ ଆମେରିକାକୁ ମଧ୍ୟ ଟପିଯିବ । ଭାରତକୁ ନେଇ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲଡମ୍ୟାନ ସ୍ୟାଚସ ରିପୋର୍ଟ ଏଭଳି ଆକଳନ କରିଛି । ଆଉ ଏଥିରେ ଭାରତର ଜନସଂଖ୍ୟା ହିଁ ଅର୍ଥନୀତିକୁ ଆଗକୁ ବଢାଇନେବାରେ ଭୂମିକା ତୁଲାଇବ । ଏବେ ବିଶ୍ୱର ପଞ୍ଚମ ବଡ ଆର୍ଥିକ ମହାଶକ୍ତି ଭାବେ ଭାରତ ରହିଛି । ଭାରତ ଉପରେ ଜର୍ମାନୀ, ଜାପାନ, ଚୀନ ଓ ଶୀର୍ଷରେ ଆମେରିକା ରହିଛି । ଆଗକୁ ଶୀର୍ଷ ସ୍ଥାନରେ ଚୀନ ପହଞ୍ଚିପାରେ ଆଉ ୨୦୭୫ ବେଳକୁ ଭାରତ ବିଶ୍ୱର ଦ୍ୱିତୀୟ ବଡ ମହାଶକ୍ତି ଭାବେ ଉଭା ହେବ ।

Advertisment

ବର୍ତମାନ ପ୍ରାୟ ୩ ଟ୍ରିଲିୟନ ଡଲାର ଅର୍ଥନୀତି ଥିବା ଭାରତ ୨୦୭୫ ବେଳକୁ ୫୨.୫ ଟ୍ରିଲିୟନ ଡଲାରର ଏକ ବିଶାଳ ଅର୍ଥନୀତିରେ ପରିଣତ ହେବ । ସେହି ସମୟରେ ୫୭ ଟ୍ରିଲିୟନ ଡଲାର ଅର୍ଥନୀତି ସହ ଚୀନ ଏକ ନମ୍ବର ସ୍ଥାନରେ ରହିବ । ଆମେରିକା ଭାରତ ତଳେ ୫୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ସହ ତୃତୀୟ ସ୍ଥାନରେ ରହିବ ବୋଲି ଗୋଲଡମ୍ୟାନ ସ୍ୟାଚସ ରିପୋର୍ଟରେ ଆକଳନ କରାଯାଇଛି ।

ରିର୍ପୋଟରେ ଏକଥା ମଧ୍ୟ କୁହାଯାଇଛି ଯେ ନିର୍ଭରଶୀଳତା ହାର କମିଲେ ପୁଂଜିନିବେଶ ବଢିବ । ଲୋକଙ୍କ ଆୟ ବୃଦ୍ଧି ହେବା ସହ ସଂଜୟ ମଧ୍ୟ ବଢ଼ିବ । ବ୍ୟାଙ୍କ ଓ ଘରୋଇ କମ୍ପାନୀଗୁଡିକର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ।